Odia News Portal

୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ

୨ ହଜାର ଟଙ୍କା ପର୍ଯ୍ୟନ୍ତ UPI ପେମେଣ୍ଟ ଉପରେ ଲାଗିବନି କୌଣସି ଶୁଳ୍କ। UPI ଏବଂ RuPay ଡେବିଟ୍ କାର୍ଡରେ ଛୋଟ ମୂଲ୍ୟର ଦେଣନେଣକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ବଡ଼ ନିଷ୍ପତ୍ତି। ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗ ପକ୍ଷରୁ ଏନେଇ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ୨ ହଜାର ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ଏହି ଶୁଳ୍କ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷ—କୌଣସି ଭାବରେ ମଧ୍ୟ ଆଦାୟ କରାଯାଇପାରିବ ନାହିଁ। କେବଳ UPI ନୁହେଁ, RuPay ଡେବିଟ୍ କାର୍ଡ ମାଧ୍ୟମରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦେଣନେଣ ମଧ୍ୟ ଦେୟମୁକ୍ତ ରହିବ।

ଏହି ନିଷ୍ପତ୍ତି ଦ୍ୱାରା ଛୋଟ ଦୋକାନୀ, ଗ୍ରୋସରୀ ବ୍ୟବସାୟୀ, ରାସ୍ତାକଡ଼ର ବିକ୍ରେତା, କ୍ଷୁଦ୍ର ବ୍ୟବସାୟୀଙ୍କ ସମେତ ସାଧାରଣ ଗ୍ରାହକମାନେ ମଧ୍ୟ ଉପକୃତ ହେବେ। ଅର୍ଥାତ୍, ୨ ହଜାର ଟଙ୍କା ପର୍ଯ୍ୟନ୍ତ UPI ଓ RuPay ଡେବିଟ୍ କାର୍ଡ ଦେଣନେଣ ପାଇଁ ଅତିରିକ୍ତ ଶୁଳ୍କ ଆଦାୟ କରାଯିବ ନାହିଁ। ବ୍ୟାଙ୍କ କିମ୍ବା ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥାମାନେ ଏହି ଦେଣନେଣ ଉପରେ କୌଣସି ପ୍ରକାରର ଶୁଳ୍କ ଲଗାଇପାରିବେ ନାହିଁ। ଡିଜିଟାଲ୍ ପେମେଣ୍ଟକୁ ଆହୁରି ସହଜ ଓ ପ୍ରୋତ୍ସାହିତ କରିବା ଦିଗରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।