କୋରାପୁଟ ପୋଲିସକୁ ବଡ଼ ସଫଳତା । ଦୀର୍ଘଦିନ ଧରି ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଅପରାଧୀ ଟୁନା ହରିଜନକୁ ଗିରଫ କରିବାରେ ସଫଳ ହୋଇଛି ବୋରିଗୁମ୍ମା ପୋଲିସ । ଟୁନା ହରିଜନ ସହିତ 8 ଜଣ କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ବୋରିଗୁମ୍ମା ପୋଲିସ । ଅଭିଯୁକ୍ତ ଟୁନା ହରିଜନ ଓରଫ ସିମାନ ନାଗ ନାଁରେ କୋରାପୁଟ ସମେତ ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଓ ଜଗଦଲପୁର ଅଞ୍ଚଳରେ ୫୦ରୁ ଅଧିକ ମାମଲା ରହିଥିବା ପୋଲିସ କହିଛି । ମନ୍ଦିର ଚୋରି, ଡକାୟତି ଓ ସମ୍ପତ୍ତି ସମ୍ବନ୍ଧୀୟ ଅପରାଧରେ ତାଙ୍କ ସମ୍ପୃକ୍ତି ଥିବା ମଧ୍ୟ କହିଛି ପୋଲିସ । ଗତ ୨୫ ଅଗଷ୍ଟ ରାତି ପ୍ରାୟ ୧ଟା ସମୟରେ ପାର୍ଲି-ଡାବୁଗୁଡା ରାସ୍ତାରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ବୋଲେରୋ ଗାଡ଼ି ସନ୍ଦେହଜନକ ଭାବେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦେଖିଥିଲା । ଗାଡ଼ି ନିକଟରେ ପ୍ରାୟ ୮ରୁ ୧୦ ଜଣ ମୁଖାପିନ୍ଧା ବ୍ୟକ୍ତି ଥିବା ପୋଲିସ ଦେଖିଥିଲା । ପୋଲିସକୁ ଦେଖି ଅଭିଯୁକ୍ତମାନେ ଗାଡ଼ି ନେଇ କାମରା ଗାଁ ଆଡ଼କୁ ଫେରାର ହେବାକୁ ଉଦ୍ୟମ କରିଥିଲେ । ତେବେ ପୋଲିସ ସେମାନଙ୍କୁ ପିଛା କରିଥିଲା । ଗାଡ଼ି ଅଟକାଇବା ପରେ କୁଖ୍ୟାତ ଅପରାଧୀ ଟୁନା ହରିଜନ ଓ ଅନ୍ୟ ଅଭିଯୁକ୍ତମାନେ ତଲୱାର, କାତି ଓ ଛୁରୀ ଭଳି ମାରଣାସ୍ତ୍ର ଧରି ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇ ଥିଲା । ଏପରିକି ଟୁନା ହରିଜନ ପୋଲିସକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ଚଳାଇଥିବା ମଧ୍ୟ ପୋଲିସ କହିଛି । ଅଭିଯୁକ୍ତମାନେ ପୋଲିସର ସ୍କର୍ପିଓ ଗାଡ଼ିର କାଚ ଭାଙ୍ଗିବା ସହ କ୍ଷତି କରିଥିବା ମଧ୍ୟ କୁହାଯାଇଛି ।
ଘଟଣା ପରେ କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଲଗାତାର ନଜର ଓ ଚଢ଼ାଉ ପରେ ସେପ୍ଟେମ୍ବର ୩ ତାରିଖରେ ଜଗଦଲପୁରରୁ ଟୁନା ହରିଜନକୁ ଗିରଫ କରିଥିଲା ପୋଲିସ ।ପୋଲିସ ରିମାଣ୍ଡରେ ଜେରା ସମୟରେ ଅଭିଯୁକ୍ତ ଅନେକ ମନ୍ଦିର ଚୋରି ଓ ଡକାୟତି ମାମଲାରେ ନିଜର ସମ୍ପୃକ୍ତି ଥିବା ସ୍ୱୀକାର କରିଥିବା ପୋଲିସ କହିଛି । କାମରା ମନ୍ଦିର ଚୋରି, ଭୈରବ ମନ୍ଦିର ଚୋରି, ବୋରିଗୁମ୍ମା ଥାନା ଅଧୀନ ବିଜାପୁର ମନ୍ଦିର ଚୋରି, କୋଟପାଡ଼ ଥାନା ଅଧୀନ ଭାନସୁଲି ଡକାୟତି ଏବଂ ବି. ସିଂହପୁର ଥାନା ଅଧୀନ ବାଡିଗାଁ ଚୋରି ଭଳି ମାମଲାରେ ତାଙ୍କ ସମ୍ପୃକ୍ତି ରହିଛି ବୋଲି ମଧ୍ୟ ପୋଲିସ କହିଛି। ଚୋର ମାନଙ୍କ ଠାରୁ ପ୍ରାୟ ୨୬୦ ଗ୍ରାମ ସୁନା ଅଳଙ୍କାର, ପ୍ରାୟ ୧ କିଲୋ ୧୦୦ ଗ୍ରାମ ରୂପା,ଗୋଟିଏ ଦେଶୀ ବନ୍ଧୁକ,୭.୬୫ ଏମ୍ଏମ୍ର ୨୦ ରାଉଣ୍ଡ ଗୁଳି, ଦୁଇଟି ଖାଲି କାର୍ତୁଜ ,୪ଟି ଗାଡ଼ି ଓ ଗୋଟିଏ ବାଇକ୍ ,୫୦ ହଜାର ଟଙ୍କା ନଗଦ ତଲୱାର, ଟାଙ୍ଗି, ଫରସା, ଭୁଜାଲି ଭଳି ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ SP ମୋନଜ କୁମାର ପୂଜାରୀ
