ନେପାଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ଫ୍ଲାସ୍ ଫ୍ଲଡ୍ରେ ବ୍ୟାପକ କ୍ଷୟକ୍ଷତି । ରସୁଆ ଜିଲ୍ଲାର ଭୋଟେକୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି । ବନ୍ୟାରେ ପ୍ରାୟ ଏକ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ସବୁଠାରୁ ଚିନ୍ତାଜନକ ଖବର ହେଉଛି, ବନ୍ୟାରେ ୧୦୫ ଜଣ ଭାରତୀୟ ପର୍ଯ୍ୟଟକ ନିଖୋଜ ଥିବା ଜଣାପଡ଼ିଛି । ନିଖୋଜଙ୍କ ମଧ୍ୟରେ ୩୧ ଜଣ ତୀର୍ଥଯାତ୍ରୀ ଅଛନ୍ତି । ସେମାନେ ମାନସରୋବର ଯାତ୍ରାରେ ଯାଇଥିଲେ । ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନିଖୋଜ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି ।
ଏହାରି ମଧ୍ୟରେ ପ୍ରାୟ ୪୦୦ ପର୍ଯ୍ୟଟକ ନିଖୋଜ ଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ନିଖୋଜଙ୍କ ମଧ୍ୟରେ ୨୯୧ ଜଣ ବିଦେଶୀ ପର୍ଯ୍ୟଟକ ଓ ୩୭ ଜଣ ଏନଆରଆଇ ରହିଛନ୍ତି । ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ଆମେରିକା, ମାଲେସିଆ, ୟୁନାଇଟେଡ୍ କିଙ୍ଗଡମ୍ ଏବଂ ଦକ୍ଷିଣ ଆଫ୍ରିକାର ନାଗରିକ ମଧ୍ୟ ନିଖୋଜଙ୍କ ତାଲିକାରେ ରହିଛନ୍ତି । ବନ୍ୟା ଜଳ ସୀମା ଶୁଳ୍କ ପରିସର ମଧ୍ୟକୁ ପଶିଯିବାରୁ ସେଠାରେ ପାର୍କିଂ ହୋଇଥିବା ୨୦୦ରୁ ଅଧିକ ପରିବହନ ଗାଡ଼ି ଓ ବୈଦ୍ୟୁତିକ ଯାନ ଭାସିଯାଇଛି । ଚୀନ୍ ସୀମା ସଂଲଗ୍ନ ତିବ୍ଦତ ଅଞ୍ଚଳରୁ ନେପାଳର ରସୁଆ ଜିଲ୍ଲା ଦେଇ ପ୍ରବାହିତ ଭୋଟେକୋଶୀ ନଦୀରେ ହଠାତ୍ ବନ୍ୟା ଆସିଥିଲା । ସକାଳ ପ୍ରାୟ ୯ଟାରେ ଜିଲ୍ଲାର ମୁଖ୍ୟ ବଜାର ଅଞ୍ଚଳକୁ ବନ୍ୟା ଜଳ ମାଡ଼ି ଆସିଥିଲା ।
ପ୍ରବଳ ବନ୍ୟା ଯୋଗୁଁ ରସୁଆର ସ୍ୟାବ୍ରୁବେସି ଓ ତିମୁରେ ଭଳି ପ୍ରମୁଖ ବଜାର ସହ ଅନେକ ଜନବସତି ପ୍ରଭାବିତ ହୋଇଛି । ଭୋଟେକୋଶୀ ନଦୀ ତ୍ରିଶୂଳୀ ନଦୀରେ ମିଶୁଥିବାରୁ ରସୁଆ, ନୁୱାକୋଟ, ଧାଡ଼ିଙ୍ଗ, ଗୋରଖା ଓ ଚିତ୍ରବନ୍ଧ ଜିଲ୍ଲାର ତଳିଆ ଅଞ୍ଚଳ ପାଇଁ ଚେତାବନୀ ଜାରି କରାଯାଇଛି । ବନ୍ୟା ପରେ ନେପାଳ ସେନା ଓ ପୋଲିସ ପକ୍ଷରୁ ବ୍ୟାପକ ଉଦ୍ଧାର ଅଭିଯାନ ଚାଲିଛି । ନେପାଳ ସେନାର ସୂଚନା ଅନୁସାରେ, ଏଯାଏଁ ୧୨ ଜଣଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଛି । ସରକାର ମଧ୍ୟ ୩ଟି ଜିଲ୍ଲାରେ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା କରି ଆଲର୍ଟ ଜାରି କରିଛନ୍ତି ।
ଅନ୍ୟପକ୍ଷରେ, ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ନେପାଳର ବନ୍ୟାରେ ପ୍ରଭାବିତ ଭାରତୀୟ ନାଗରିକମାନେ ୯୭୭୯୮୫୧୩୧୬୮୦୭ କିମ୍ବା ୯୭୭୯୭୦୯୧୦୭୫୦୦ ନମ୍ବରରେ ଯୋଗାଯୋଗ କରିପାରିବେ ।
