Odia News Portal

ସିମୁଳିଆରେ 2ଟି ଦୁର୍ଘଟଣା: ମାଛ ବୋଝେଇ ଟ୍ରକକୁ ପିଟିଲା ବସ୍, ନାଳକୁ ଖସିଲା ଟ୍ରାଭେଲର୍, 20ରୁ ଅଧିକ ଗୁରୁତର

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ 2ଟି ସ୍ଥାନରେ ଦୁର୍ଘଟଣା ଘଟିଛି । 16 ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଏକ ଟ୍ରାଭେଲର୍ ନାଳକୁ ଖସି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ, ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଓଭରବ୍ରିଜ ଉପରେ ଭୁବନେଶ୍ୱରରୁ ଟାଟା ଅଭିମୁଖେ ଯାଉଥିବା ଶାନ୍ତିଲତା ଯାତ୍ରୀବାହୀ ବସ୍ ଏକ ମାଛ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁଇଟି ଦୁର୍ଘଟଣାରେ 21 ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛି ।ଭୁବନେଶ୍ୱରସ୍ଥିତ ଡୁମ୍‌ଡୁମା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରୁ ଏକ ଟ୍ରାଭେଲର୍‌ ଗାଡ଼ିରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ସିମୁଳିଆ ଥାନା 16 ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଟ୍ରାଭେଲର୍ ଗାଡ଼ି ନାଳକୁ ଖସିପଡିଥିଲା । ପରେ ଏକ ଗଛରେ ପିଟି ହୋଇଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ 14 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସିମୁଳିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଓଭରବ୍ରିଜ୍ ଉପରେ ଭୁବନେଶ୍ୱରରୁ ଟାଟା ଅଭିମୁଖେ ଯାଉଥିବା ‘ଶାନ୍ତିଲତା’ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଜାମୁଝାଡ଼ି ନିକଟରେ ଏକ ମାଛ ବୋଝେଇ ଟ୍ରକକୁ ଅତିକ୍ରମ କରିବା ସମୟରେ, ମାଛ ବୋଝେଇ ଟ୍ରକର ପଛପଟକୁ ଧକ୍କା ଦେଇଥିଲା । ଫଳରେ ଯାତ୍ରୀବାହୀ ବସ୍‌ ଡ୍ରାଇଭର ଅଜଗର ଆଲାମଙ୍କ ସମେତ ଅନ୍ୟ 5 ଜଣ ଯାତ୍ରୀ ଆହତ ହୋଇଥିଲେ । 7 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ସ୍ଥାନୀୟଲୋକଙ୍କ ସହାୟତାରେ ସେମାନଙ୍କୁ ଆମ୍ବୁଲାନ୍ସରେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ହାଇୱେ ପୋଲିସ ଓ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ବସ୍‌ରେ ମୋଟ 42 ଜଣ ଯାତ୍ରୀ ଥିଲେ । ବସ୍‌ଟି ଭୁବନେଶ୍ବରରୁ ଟାଟା ଅଭିମୁଖେ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଯାଇଛି ।