Odia News Portal

ଖସିଗଲେ ଘରକୁ ଯିବ ଲଭ୍ ଲେଟର୍

ଭୁବନେଶ୍ୱର: ଏଥର ନିୟମ ଭାଙ୍ଗିଲେ ଅମାନିଆ ଗାଡି ଚାଳକଙ୍କ ପାଖକୁ ଯିବ ପୋଲିସର ଲଭ୍ ଲେଟର୍ । ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିଲେ ସବୁ କିଛି ରେକର୍ଡ କରୁଛି ସିସିଟିଭି । ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ପହଞ୍ଚିବ ଲଭ୍ ଲେଟର୍ ଅର୍ଥାତ ଚାଲାଣ । ଆମ ଲଭ୍‌ ଲେଟରକୁ ଅପେକ୍ଷା କରନ୍ତୁ ନାହିଁ । ବିନା ଜରିମାନାରେ ଖସିଯିବି ବୋଲି ଭାବୁଥିବା ଲୋକ ୨୦୨୧ରୁ ଆଉ ବର୍ତ୍ତି ପାରିବେ ନାହିଁ । ପ୍ରତିଦିନ ସିସିଟିଭିରୁ କଟାଯାଉଛି ୩୫୦ ଚାଲାଣ । ଦିନକୁ ଗୋଟିଏ ଲୋକର ୫ ଥର ଚାଲାଣ କଟାଯାଉଛି । ଗତବର୍ଷ କଟକ-ଭୁବନେଶ୍ବରରୁ ଆଦାୟ ହୋଇଛି ୨୫ କୋଟି ଟଙ୍କା ଜରିମାନା । ଟ୍ରାଫିକ ନିୟମ ଉଲ୍ଲଂଘନକୁ ନେଇ ଆଜି ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର-କଟକର ପୋଲିସ୍‌ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣା କାହାକୁ ଜଣାଇ ଆସେ ନାହିଁ। ନିମିଷକେ ଦୁର୍ଘଟଣା ହୋଇ ଯାଏ। ଆଗକୁ ଟ୍ରାଫିକ୍‌ ନିୟମ ମାନିବାକୁ କଡ଼ାକଡ଼ି କରି ଦିଆଯିବ। ଗତ ବର୍ଷ ଆଇନ ପରିବର୍ତ୍ତନ ହେବା ପରେ କେବଳ କଟକ-ଭୁବନେଶ୍ୱରରୁ ୨୫ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। ତଥାପି ଲୋକଙ୍କ ମନରେ ଚେତା ପଶୁ ନାହିଁ। ଅପେକ୍ଷା କରିଛନ୍ତି ମୋତେ କେଉଁଦିନ ମାମୁ ଧରିବ ପ୍ରେମ ପତ୍ରଟିଏ ଦେବ।

ସେ କହିଛନ୍ତି ଯେ, ପ୍ରତ୍ୟେକ ଦିନ ଆମେ ସିସିଟିଭି ଦେଖି ୩୫୦ଟି ଚାଲାଣ କାଢ଼ୁଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। ପୋଲିସ ନ ଜଗିଲେ ବି କ୍ୟାମେରା ସବୁ ଦେଖୁଛି। ଆଇନ ନମାନି ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ଯାଇ ୨-୩ଟି ଲଭ୍ ଲେଟର୍ ପହଞ୍ଚିବ |