Odia News Portal

ଡିଏଭି ପୋଖରୀପୁଟର ୩୫ ତମ ପ୍ରତିଷ୍ଠା ଦିବସ (ଏଫ୍ ଟୁ ଏଫ୍)ପାଳିତ

ଡିଏଭି ପୋଖରୀପୁଟରେ ୩୫ ତମ ପ୍ରତିଷ୍ଠା ଦିବସ ଫାଉଣ୍ଡେସନ୍‌ ଟୁ ଫ୍ୟୁଚର ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ପ୍ରାତଃ କାଳରେ ଏକ ସମୂହ ବୈଦିକ ଯଜ୍ଞର ଆୟୋଜନ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟଅତିଥି ରୂପେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା ସ୍ଵାଗତ ପରିଚୟ ପ୍ରଦାନ କରି ବିଦ୍ୟାଳୟର ଗୌରବ ଅକ୍ଷୁଣ୍ଣ ରଖିବାକୁ ଆହ୍ୱାନ ଦେଇଥିଲେ ।

ମୁଖ୍ୟଅତିଥି ନିଜର ଅଭିଭାଷଣରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ମନନଶୀଳ ହୋଇ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ଉପରେ ଗୁରୁତ୍ତ୍ଵଦେଲେ ଦେଶର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ଡିଏଭି ଶିକ୍ଷାନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ନିରନ୍ତର ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ ଶୁଭେଚ୍ଛା ଦେବା ସ‌ହିତ ଶିକ୍ଷାର୍ଥୀମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଶିକ୍ଷକମାନେ ପ୍ରଯତ୍ନଶୀଳ ହେବା ଦିଗରେ ଅଧିକ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତିଷ୍ଠା ଉତ୍ସବ ଅବସରରେ ପୂର୍ବରୁ ଜୁନିଅର ରେଡକ୍ରସ୍ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ବିବିଧ କ୍ଷେତ୍ରରେ ପ୍ରତିଭାଧାରୀ ବିଦ୍ୟାର୍ଥୀ, ଅଭିଭାବକ ତ‌ଥା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଞ୍ଚାସୀନ ଅତିଥିଗଣଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ମୁଖପତ୍ର ‘ପ୍ରେରଣା’ ଉନ୍ମୋଚିତ ହେବା ସହିତ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ସାମୂହିକ ସଙ୍ଗୀତ ଏବଂ ଉତ୍କଳୀୟ ସଂସ୍କୃତି ଆଧାରିତ ନୃତ୍ୟାଭିନୟ ସିଭିଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା । ଏଥିରେ କଟକ ଓ ଭୁବନେଶ୍ଵର ଡିଏଭି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଅଧ୍ୟକ୍ଷା, ଶିକ୍ଷୟିତ୍ରୀ-ଶିକ୍ଷକ ତ‌ଥା ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ପରିଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିପିନ କୁମାର ସାହୁ ଅଭ୍ୟାଗତ ଅତିଥିଙ୍କୁ କୃତଜ୍ଞତା ଜଣାଇବା ସହ ଉତ୍ସବର ସଫଳତା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।