Odia News Portal

ଲକ୍ଷ୍ନୌ ସରକାରୀ ପରିଚାଳିତ ଶିଶୁ ସଦନରେ ୪ ଶିଶୁଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ସରକାରୀ ପରିଚାଳିତ ଶିଶୁ ସଦନରେ ୪ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ୫ ଦିନ ମଧ୍ୟରେ ୪ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହେବା ଘଟଣାକୁ ବିରୋଧ କରି ଅସନ୍ତୋଷ ତେଜିଛି। ସମସ୍ତ ମୃତ ଶିଶୁଙ୍କ ବୟସ ଦେଢ଼ ମାସରୁ ୫ ମାସ ମଧ୍ୟରେ। ଉକ୍ତ ଘଟଣାରେ ଏକ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଶିଶୁ ସଦନର ସୁପରିନଟେଣ୍ଡେଣ୍ଟ୍‌ଙ୍କୁ ନିଲମ୍ବିତ କରାଯାଇଛି। ଫେବ୍ରୁଆରି ୧୦ରୁ ୧୪ ମଧ୍ୟରେ ୪ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ତେବେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବେବି ରାଣି ମୌର୍ଯ୍ୟ କହିଛନ୍ତି, ଯେଉଁ ଅଭିଯୋଗ ହୋଇଛି ତାହା ସମ୍ପୂର୍ଣ୍ଣ ମିଛ।
ଶିଶୁମାନଙ୍କ ଓଜନ କମ୍ ଏବଂ ସେମାନେ ଜ୍ବର ଓ ଥାଲାସେମିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ବୋଲି ମୌର୍ଯ୍ୟ ଏକ ବିବୃତି ଜାରି କରି କହିଛନ୍ତି। ତେବେ ଥଣ୍ଡା ପାଇଁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମ ରିପୋର୍ଟକୁ ଜିଲ୍ଲା ପ୍ରଶାସନ ପ୍ରତ୍ୟାଖ୍ୟାନ କରିଛନ୍ତି। ଉଲ୍ଳେଖଯୋଗ୍ୟ, ଉକ୍ତ ଶିଶୁ ସଦନ ରାଜ୍ୟ ମହିଳା କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ହେଉଛି।