Odia News Portal

ମେଡିକାଲ କଲେଜ ଆଡମିସନ ନାଁରେ ୬୦ଲକ୍ଷ ଲୁଟ୍

*ଘଟଣାରେ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।
*ଗିରଫ ଠକ ଜଣଙ୍କ ହେଉଛନ୍ତି ଦେବାଶିଷ ମୁଖାର୍ଜୀ ।

ଭୁବନେଶ୍ୱର: ମେଡିକାଲ କଲେଜରେ ଆଡମିସନ କରାଇ ଦେବା ନାଁରେ ୬୦ଲକ୍ଷ ଲୁଟ୍ ଅଭିଯୋଗ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ପିଜି ଆଡମିସନ କରାଇ ଦେବାକୁ କହି ୬୦ଲକ୍ଷ ଟଙ୍କା ଠକି ନେବା ଭଳି ସାଙ୍ଘାତିକ ଅଭିଯୋଗ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ଠକ ଜଣଙ୍କ ହେଉଛନ୍ତି ଦେବାଶିଷ ମୁଖାର୍ଜୀ ।

ସୂଚନା ଅନୁଯାୟୀ, ଘଟଣାଟି ୨୦୧୮ ମସିହାରେ ଭୁବନେଶ୍ୱରର ଶତାବ୍ଦୀ ନଗରର ଆଶିଷ ପଟ୍ଟନାୟକଙ୍କ ଠାରୁ ଘରୋଇ ମେଡିକାଲ କଲେଜରେ ପିଜି ଆଡମିସନ କରାଇ ଦେବାକୁ କହି ଠକିଥିଲା ଦେବାଶିଷ ।ତେବେ ଆଶିଷଙ୍କ ଠାରୁ ୩ଟି କିସ୍ତିରେ ୬୦ ଲକ୍ଷ ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲା ଦେବାଶିଷ। ତେବେ ଆଶିଷ ବାରମ୍ବାର ଟଙ୍କା ମାଗି ଥିଲେ ମଧ୍ୟ ଦେବାଶିଷ ତାଙ୍କୁ ଟଙ୍କା ଫେରାଇନଥିଲା । ଶେଷରେ ଖଣ୍ଡଗିରି ଥାନାର ଦ୍ୱାରସ୍ତ ହୋଇଥିଲେ ଆଶିଷ ।ଦେବାଶିଷ ନାମରେ ଠକେଇର ଲମ୍ବା ତାଲିକା ଥିବା ଜଣାପଡ଼ିଛି । ଏକ ୱେବ ଚ୍ୟାନେଲର ମାଲିକ ବୋଲି ଦେବାଶିଷ ନଜ ପରିଚୟ ଦେଇ କୋଟି କୋଟି ଟଙ୍କା ଠକିଥିବା ପୋଲିସ ଜାଣିବାକୁ ପାଇଛି । ଗତକାଲି ରାତିରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଆଜି ଦେବାଶିଷକୁ କୋର୍ଟ ଚାଲଣ କରାଯିବ ।