Odia News Portal

ଗାନ୍ଧୀମାର୍ଗରେ ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ରାଜଧାନୀରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧୀମାର୍ଗରେ ମାନ୍ୟବର ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।ତେବେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ ।

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ତା ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେଶାଲ ଟେକ୍ନିକାଲ ୟୁନିଟ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ଆଦି ସଭା ସ୍ଥଳରେ ମୁତୟନ ଅଛନ୍ତି ।

ତେବେ କୋଭିଡ କଟକଣା ପାଇଁ ଦର୍ଶକଙ୍କୁ ପରେଡ୍ ସ୍ଥଳକୁ ମନା। ସକାଳ ୬.୩୦ରୁ ଦିନ୯ଟା ପର୍ଯ୍ୟନ୍ତ ଲୋୟର ପିଏମ୍ ଜିରେ ୧୪୪ ଧାରା ଜାରି କରାଯାଇଛି ।ରାଜ୍ୟସ୍ତରୀୟ ପରେଡରେ ୧୪ଟି ପୋଲିସ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବା ପରେ ରାଜ୍ୟସ୍ତରୀୟ ପରେଡ୍ ଆରମ୍ଭ ହୋଇଥିଲା। ପରେଡରେ କେସିଙ୍ଗା ଏସଡିପିଓ ଆଇପିଏସ୍‌ ଏସ୍‌. ସୁଶ୍ରୀ ନେତୃତ୍ୱ ନାଇଛନ୍ତି। ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ ଭାବେ ସେ ଏହି ପରେଡର ନେତୃତ୍ୱ ନେଉଥିବାରୁ ବେଶ୍‌ ଆନନ୍ଦିତ ଅଛନ୍ତି। କେସିଙ୍ଗା ଏସଡିପିଓ ଭାବେ ସେ କାର୍ୟ୍ୟ କରୁଥିବାରୁ କେସିଙ୍ଗା ଅଞ୍ଚଳବାସୀ ମଧ୍ୟ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି।

ସେହିପରି କଟକ ବାରବାଟୀ ଷ୍ଟାଡିୟମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାରବାଟୀ ଷ୍ଟାଡିଯମକୁ ସାଧାରଣଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ପରେଡରେ ସାମିଲ ହେବେନି ।