Odia News Portal

ଚାଷୀଙ୍କ ଖାତାକୁ ଗଲା ୯୧୦ କୋଟି ‘କାଳିଆ ଟଙ୍କା’

ଭୁବନେଶ୍ବର: ଅକ୍ଷୟ ତୃତୀୟା ପୂର୍ବରୁ ଶୁକ୍ରବାର ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା କିସ୍ତି । ୪୨ ଲକ୍ଷ ଚାଷୀଙ୍କ ଖାତାକୁ ୯୧୦ କୋଟି ଟଙ୍କା ଜମା କରାଯାଇଛି। ଏହା ପୂର୍ବରୁ ଆଜି ସକାଳେ ଚାଷୀଙ୍କ ଖାତାକୁ ପିଏମ କିଷାନ ଟଙ୍କା ଦିଆଯାଇଥିଲା। ଦେଶର ୯.୫ କୋଟି ଚାଷୀଙ୍କ ଖାତାରେ ୧୯ ହଜାର କୋଟି ଟଙ୍କା ପଠାଯାଇଥିଲା। ଏକ ସ୍ୱତନ୍ତ୍ର ଭର୍ଚୁଆଲ ଉତ୍ସବ ସହାୟତାରେ ଏହି ରାଶିକୁ ମୁଖ୍ୟମନ୍ତ୍ରୀ ରାଜ୍ୟର କାଳିଆ ହିତାଧିକାରୀଙ୍କ ଜମାଖାତାକୁ ପଠାଇବାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ । ଏହି ଯୋଜନା ଚାଷୀ ମୁହଁରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି । ଚାଷୀଙ୍କ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀଙ୍କ ତ୍ଯାଗର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହିଁ ଅର୍ଥନୀତିକୁ ସଞ୍ଜିବନୀ ପରି ଶକ୍ତି ଦେଇଥିଲା । ତେଣୁ ଚାଷୀର ତ୍ଯାଗର ମୂଲ୍ୟ କେହି ଦେଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

ସୂଚନା ଅନୁଯାୟୀ, ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଚାଷୀମାନଙ୍କୁ ଖରିଫ ଓ ରବି ଫସଲ ପାଇଁ ସହାୟତା କରିବାକୁ ରାଜ୍ୟ ସରକାର ଅଭିନବ ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ । ଭୋଟ ପୂର୍ବରୁ ଓ ପରେ କାଳିଆକୁ ନେଇ ବିତର୍କ ଲାଗି ରହିଥିଲା ବେଳେ ଶେଷ ଥର ପାଇଁ ଗତ ଫେବ୍ରୁଆରୀ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ‘କାଳିଆ’ ସହାୟତା ବଣ୍ଟନ କରିଥିଲେ । ଏଥିରେ ମୋଟ ୫୩ ଲକ୍ଷ ଚାଷୀ ଲାଭବାନ ହୋଇଥିଲେ। ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ୧୬ ଲକ୍ଷ ଭୂମିହୀନଙ୍କ ଆକାଉଣ୍ଟକୁ ୧୨୭୨ କୋଟି ଟଙ୍କା ପଠାଯାଇଥିଲା ।