Odia News Portal

ରାସ୍ତା ମଝିରେ ସ୍ତ୍ରୀକୁ ଛୁରୀ ଭୁଷି ହତ୍ୟା କଲା ସ୍ୱାମୀ

ତାମିଲନାଡୁର ବିଲ୍ଲୋରରୁ ଆସିଛି ଏକ ଦୁଃଖଦାୟକ ଏବଂ ଛାତିଥରା ଘଟଣା । ରାସ୍ତା ମଝିରେ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଛୁରୀ ଭୂଷି ହତ୍ୟା କରିଥିବା ଜାଣିବାକୁ ମିଳିଛି । ତେବେ ରାସ୍ତା ଯାତାୟତ କରୁଥିବା ଲୋକ ଏବଂ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଏହା ଦେଖୁଥିଲେ ମଧ୍ୟ ଏହାକୁ ପ୍ରତିବାଦ କରି ନଥିଲେ । ତେବେ ନିକଟ ଏକ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ପୋଲିସ ଆରେଷ୍ଟ କରିଛି ।

ସୂଚନା ଅନୁଯାୟୀ, ପୀଡିତାଙ୍କ ନାଁ ପୁନିତା ବୋଲି ଜାଣିବାକୁ ମିଳିଛି । ପ୍ରତିଦିନ ଭଳି ସୋମବାର ମଧ୍ୟ ସେ ନିଜ ଜୋତା ଦୋକାନରୁ କାମ ସାରି ଫେରୁଥିବା ବେଳେ ସ୍ୱାମୀ ଜୟଶଙ୍କର ତାଙ୍କୁ ରୋକିଥିଲେ । ଏହାପରେ ରାସ୍ତା ଉପରେ ହିଁ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ପୁନିତା ଲଗାତାର ସେଠାରୁ ଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଜୟଶଙ୍କର ତାଙ୍କୁ ଅଟକାଇ ଝଗଡା କରୁଥିବାର ଏହି ଭିଡିଓରେ ଦେଖାଯାଇଛି । ତେବେ ଏଥିରେ ରାଗିଯାଇ ଜୟଶଙ୍କର ପକେଟରୁ ଛୁରୀ ବାହାର କରି ଅଚାନକ ଆକ୍ରମଣ କରିଥିଲେ । ଥରେ ନୁହେଁ, ପୁନିତାଙ୍କୁ ୭ଥର ଆକ୍ରମଣ କରିଥିଲା ଜୟଶଙ୍କର ।

ଏହି ସମୟରେ ଜଣେ ମହିଳା ତାଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଅନ୍ୟ କେହି ସାହସ କରିନଥିଲେ । ତେବେ ଏହାପରେ ଜୟଶଙ୍କର ସେଠାରୁ ପେରାର ହୋଇଯାଇଥିଲା । ସେପଟେ ମହିଳାଜଣକ ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ପୁନିତାଙ୍କୁ ମେଡିକାଲ ପଠାଇଥିଲା । ଏହାପରେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ ।