ଧକ୍କା ଦେଲା ହାଇୱା, ଘର ଭିତରକୁ ପଶି ଆସିଲା ଟ୍ରଲର By Swadhikar News Last updated May 8, 2026 ରାସ୍ତା କଡରେ ଛିଡା ହୋଇଥିବା ଟ୍ରଲରକୁ ଧକ୍କା ଦେଲା ହାଇୱା । ଫଳରେ ନିୟନ୍ତ୍ରଣ ହରାଇ ଘର ଭିତରକୁ ପଶି ଆସିଲା ଟ୍ରଲର । ଆଜି ଭୋର ସମୟରେ ନୟାଗଡ ଟାଉନ୍ ଥାନା ଅନ୍ତର୍ଗତ ଘଡୁଆଳ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ହାଇୱା ଡ୍ରାଇଭର ଆହତ ହୋଇ ନୟାଗଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେପଟେ ଘର ଭିତରକୁ ଟ୍ରଲର ପଶି ଆସିଥିବାରୁ ଅନେକ କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ଘର ମାଲିକ ।ରାତି ପ୍ରାୟ 3.30 ସମୟରେ ଘଡୁଆଳ ଅଞ୍ଚଳରେ ରହୁଥିବା ଯୁଧିଷ୍ଠିର ଖଣ୍ଡାଙ୍କ ଘର ଅଚାନକ ଜୋର ଶବ୍ଦରେ ଥରି ଉଠିଥିଲା । ବାହାରକୁ ଆସି ଦେଖିବାକୁ ପାଇଥିଲେ ଏକ ଟ୍ରଲର ତାଙ୍କ ଘର ଭିତରକୁ ପଶି ଆସିଛି । ତା ପଛକୁ ରହିଛି ଆଉ ଏକ ହାଇୱା । ଟ୍ରଲର ଧକ୍କା ଦେବା ଫଳରେ ଘର ଗେଟ୍ ଭାଙ୍ଗିବା ସହ ସଟର ମଧ୍ୟ ଭାଙ୍ଗିଛି, ଘର ଭିତରେ ଥିବା କାର ମଧ୍ୟ ଭାଙ୍ଗିଥିବା କହିଛନ୍ତି ଘରର ମାଲିକାଣି ସୁବାସିନୀ ମହାନ୍ତି ।ଆଜି (ଶୁକ୍ରବାର) ରାତି ପ୍ରାୟ ୩.୩୦ ବେଳେ ଜାତୀୟ ରାଜପଥ ୫୭ର ରାସ୍ତା ପାର୍ଶ୍ବରେ (OR02AV9363) ନମ୍ବର ବିଶିଷ୍ଟ ଏକ ଟ୍ରଲର ଛିଡା ହୋଇଥିଲା । ଏଥିରେ ତମ୍ବା ପାଇପ ଲୋଡ଼ ହୋଇଥିବା ବେଳେ ଡ୍ରାଇଭରକୁ ନିଦ ଲାଗିବାରୁ ସେ ରାସ୍ତା କଡରେ ଗାଡିକୁ ଛିଡା କରି ଶୋଇପଡିଥିଲେ । ଏହାପରେ ଭୁବନେଶ୍ୱରରୁ ନୟାଗଡ଼ ପଟକୁ ଦ୍ରୁତ ଗତିରେ ଆସୁଥିବା ଡଟ୍ସ ବୋଝେଇ ହାଇୱା (OD 19Y4983)ଧକ୍କା ଦେଇଥିଲା ଟ୍ରଲରକୁ । ଯାହାଦ୍ବାରା ଟ୍ରଲରଟି ଘର ଭିତରକୁ ପଶି ଆସିଲା ।ଏହି ଦୁର୍ଘଟଣାରେ ହାଇୱେ ଡ୍ରାଇଭର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ନୟାଗଡ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଟ୍ରଲର ଓ ହାଇୱାକୁ ଜବତ କରିବା ସହ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଛି । ତେବେ ଟ୍ରଲରଟି ବୌଦ୍ଧ ଅଞ୍ଚଳକୁ ଯାଉଥିବା ସୂଚନା ରହିଛି । swadhikarswadhikar news Share