Odia News Portal

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ନାଁରେ ଅର୍ଥ ଆଦାୟ ଅଭିଯୋଗ, ହସ୍ତକ୍ଷେପ କଲେ ବିଧାୟକ

ମାଲକାନାଗିରି: ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ସେବିକା ଓ ସହାୟକ ଆଟାଣ୍ଡାଣ୍ଟଙ୍କ ନିଯୁକ୍ତି ଓ ସଫେଇ କାମ(ହାଉସ କିପିଂ) ଦାୟିତ୍ବରେ ଗତ ମାସରେ ନେତା ସିକ୍ୟୁରିଟି ସର୍ଭିସ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ଦାୟିତ୍ବ ନେଇଥିଲେ। ତେବେ ଏହି ସଂସ୍ଥା ସୁପରଭାଇଜର, ସିକ୍ୟୁରିଟି ଗାର୍ଡ, ସହାୟକ ଆଟାଣ୍ଡାଣ୍ଟ ଏବଂ ସେବିକା ପାଇଁ ବିଜ୍ଞାପନ ମଧ୍ୟ ଦେଇଥିଲେ। ବିଜ୍ଞାପନ ଦେଖି ବହୁ ଯୁବକ ଯୁବତୀ ଆବେଦନ କରିଥିଲେ। ଆବେଦନକୁ ଭିତ୍ତି କରି ଏହି ସଂସ୍ଥା ପିଲାଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ଏଥିରେ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଅଂଚଳର ପିଲା ଏହି ପଦବୀ ପାଇ ନପାରିବା ପରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଧାୟକ ମାଡକାମୀ ସାମ୍ବାଦିକ ସମ୍ମିଳନୀ କରି ଏହାର ଖୁଲାସା କରିଛନ୍ତି।ସେ କହିଛନ୍ତି ଯେ ‘‘ନେତା ସିକ୍ୟୁରିଟିର କର୍ମକର୍ତ୍ତାଙ୍କ ସହ ଏନେଇ ଆଲୋଚନା ହୋଇଛି । ସେମାନେ ଅର୍ଥ କାରବାରକୁ ମିଥ୍ୟା ବୋଲି କହିବା ପରେ ଅଧିକ ତଦନ୍ତ କରାଯାଇଥିଲା। ଫେକ୍‌ ଆଇଡି ଯେପରି ସନସାଇନ୍‌, ସମ୍ରାଟ ଅଶୋକ ନାମରେ ଖୋଲି ସେମାନେ ଟଙ୍କା ଆଦାୟ କରିଥିବା ଅଭିଯୋଗ ହେଉଛି । ତେବେ ସ୍ଥାନୀୟ ସିକ୍ୟୁରିଟି ଗାର୍ଡ, ମେଡିକାଲ କର୍ମଚାରୀ ଏବଂ ପୂର୍ବରୁ ଯେଉଁମାନେ ଆଉଟ ସୋର୍ସିଂରେ ଚାକିରି କରୁଥିଲେ ସେମାନଙ୍କ ଜରିଆରେ ଟଙ୍କା ଆଦାୟ କରାଯାଉଥିଲା। ଲକ୍ଷାଧିକ ଟଙ୍କା ଏନେଇ ଆଦାୟ ହୋଇଛି’’ ।ପରୋକ୍ଷ ଭାବେ ଟଙ୍କା କାରବାର ହେଉଥିବା ଜାଣିବା ପରେ ବିଧାୟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ନେତା ସିକ୍ୟୁରିଟି ସର୍ଭିସ ନାମକ ସଂସ୍ଥାକୁ ବ୍ଲାକ ଲିଷ୍ଟ କରିବା ନେଇ ସେ ସରକାରଙ୍କୁ ପତ୍ର ଲେଖିଥିବା କହିଥିଲେ। ଅନ୍ୟଦିଗରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ମଧ୍ୟ ଏନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି। ଯଦି ନେତା ସିକ୍ୟୁରିଟି ସର୍ଭିସ ସଂସ୍ଥା ପିଲାଙ୍କୁ ନିଯୁକ୍ତି ଦେବା ବେଳେ ଅର୍ଥ ଆଦାୟ କରିଛନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କେହି ଲିଖିତ ଅଭିଯୋଗ କରନ୍ତି ତେବେ ଏହାର ତଦନ୍ତ ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ଅନ୍ୟପଟେ ଆଜି ଏହି ସଂସ୍ଥା ଦ୍ବାରା ନିଯୁକ୍ତି ପାଇଥିବା ୧୦୮ ଜଣ ସହାୟକ ଆଟେଣ୍ଡାଣ୍ଟ ମେଡିକାଲ ବାହାରେ ଏକତ୍ରିତ ହୋଇ କୌଣସି ଟଙ୍କା ହେରଫେର ହୋଇନଥିବା କହିଛନ୍ତି । ‘‘ଆମେ ସମସ୍ତେ ବିନା ଅର୍ଥ କାରବାରରେ ଏହି ନିଯୁକ୍ତି ପାଇଛୁ’’ । ତେବେ ଏମାନେ ସଂସ୍ଥାର ଧମକ ଚମକରେ ଏଭଳି କହିଛନ୍ତି ନା ସତରେ ଟଙ୍କା ନଦେଇ ଚାକିରି ପାଇଛନ୍ତି ତାକୁ ନେଇ ତଦନ୍ତ ଆବଶ୍ୟକ ହୋଇପଡିଛି। ପ୍ରକାଶ ଥାଉକି ନେତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହାଉସ କିପିଂ ଟେଣ୍ଡର ହାତେଇବା ପାଇଁ ଜାଲ୍‌ କାଗଜ ପତ୍ର ଦେଇଥିଲା । ହାଇକୋର୍ଟରେ ମାମଲାର ବିଚାର ଚାଲିଛି । ତେବେ କିପରି ଏହି ସଂସ୍ଥା ପୁଣି ଟେଣ୍ଡର ହାତେଇଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।