Odia News Portal

ମସ୍କୋରେ ଆମେରିକୀୟ ସାମରିକ ବିମାନ, ବଢ଼ିଲା ରହସ୍ୟ

ମସ୍କୋର ଭ୍ନୁକୋଭୋ ବିମାନବନ୍ଦରରେ ଆମେରିକାର ଏକ ପ୍ରମୁଖ ସାମରିକ ପରିବହନ ବିମାନ ହଠାତ୍ ଅବତରଣ କରିବା ପରେ ଆନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ବୋଇଂ C-17A ଗ୍ଲୋବମାଷ୍ଟର-III ବିମାନଟି ଲାଟଭିଆର ରିଗାରୁ ଉଡ଼ି ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ମସ୍କୋରେ ପହଞ୍ଚିଥିବା ଫ୍ଲାଇଟ୍ ଟ୍ରାକିଂ ତଥ୍ୟରୁ ଜଣାପଡ଼ିଛି। ତେବେ ଏହି ବିମାନର ଆଗମନ ସମ୍ପର୍କରେ କୌଣସି ପୂର୍ବ ସୂଚନା ନଥିବା ରୁଷ୍ ପକ୍ଷରୁ କୁହାଯାଇଛି। କ୍ରେମଲିନ୍ ପ୍ରେସ୍ ସଚିବ ଡିମିତ୍ରି ପେସ୍କୋଭ କହିଛନ୍ତି ଯେ, ଚଳିତ ସପ୍ତାହରେ ଆମେରିକୀୟ ପ୍ରଶାସନର କୌଣସି ପ୍ରତିନିଧିଙ୍କ ସହ ବୈଠକ ନେଇ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନାହିଁ।

ଆହୁରି ରୋଚକ ହେଉଛି, ଏହି ବିମାନଟି ଅଗଷ୍ଟ ୨୩ରେ ୱାସିଂଟନ୍ ନିକଟସ୍ଥ ମେରିଲ୍ୟାଣ୍ଡର ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍‌ରୁ ଯାତ୍ରା ଆରମ୍ଭ କରି ପ୍ରଥମେ ରିଗାରେ ପହଞ୍ଚିଥିଲା। ଆମେରିକାର ରାଷ୍ଟ୍ରପତି ଓ ବରିଷ୍ଠ ଅଧିକାରୀମାନେ ସାଧାରଣତଃ ବ୍ୟବହାର କରୁଥିବା ଏହି ବେସ୍‌ରୁ ବିମାନଟି ଉଡ଼ିବା ପରେ ମସ୍କୋ ଯିବା ଘଟଣାକୁ ନେଇ ରହସ୍ୟ ଆହୁରି ବଢ଼ିଛି। C-17A ଗ୍ଲୋବମାଷ୍ଟର-III ଏକ ଅତ୍ୟନ୍ତ ଶକ୍ତିଶାଳୀ ସାମରିକ ପରିବହନ ବିମାନ। ବଡ଼ ପରିମାଣର ସାମରିକ ସରଞ୍ଜାମ, ଯାନବାହନ ଓ ସେନାକୁ ଦ୍ରୁତ ଭାବେ ପରିବହନ କରିବାରେ ଏହାର ବ୍ୟବହାର ହୋଇଥାଏ। ତେଣୁ ଏଭଳି ସମ୍ବେଦନଶୀଳ ସମୟରେ ଏହାର ମସ୍କୋ ଅବତରଣକୁ ନେଇ ବିଭିନ୍ନ ଆକଳନ ଆରମ୍ଭ ହୋଇଛି।

କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ଓ ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଏହା ପଛରେ ଗୁପ୍ତ ବନ୍ଦୀ ବିନିମୟ କିମ୍ବା ରଣନୀତିକ ଆଲୋଚନା ଭଳି କୌଣସି କାରଣ ଥାଇପାରେ। ନିକଟରେ ରୁଷ୍ ପକ୍ଷରୁ ଆମେରିକାର ପୂର୍ବତନ ସେନା କର୍ମଚାରୀ ରବର୍ଟ ଗିଲମ୍ୟାନଙ୍କୁ ମୁକ୍ତ କରାଯାଇଥିବା ଘଟଣାକୁ ମଧ୍ୟ ଏହି ଆଲୋଚନା ସହ ଯୋଡ଼ାଯାଉଛି। ଏହା ସହିତ, ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପରଦା ପଛରେ ଆମେରିକା ଓ ରୁଷ୍ ମଧ୍ୟରେ କୌଣସି ଗୁପ୍ତ କୂଟନୈତିକ ଆଲୋଚନା ଚାଲିଛି କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।

ତେବେ ବିମାନଟି ମସ୍କୋରେ କାହିଁକି ଅବତରଣ କଲା, ଏହାର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କଣ ଏବଂ ଏହା ପଛରେ କୌଣସି ଗୁପ୍ତ କୂଟନୈତିକ ପଦକ୍ଷେପ ରହିଛି କି—ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ। ଫଳରେ ଆମେରିକୀୟ ସାମରିକ ବିମାନର ଏହି ଅଚାନକ ମସ୍କୋ ଅବତରଣ ଏବେ ଆନ୍ତର୍ଜାତୀୟ ରାଜନୀତିରେ ଏକ ବଡ଼ ରହସ୍ୟ ହୋଇ ରହିଛି।