Odia News Portal

ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ମେଦିନି ପୁରରେ ବିଶାଳ ରାଲି ଓ ଜନସଭା

ପଶ୍ଚିମବଙ୍ଗ ମେଦିନପୁରରେ ଚାଷୀ ସଭାକୁ ସମ୍ବୋଧିତ କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା ।ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ । ମିଶନ ଦୁଇ ଶହ ପ୍ଲସ ନାରା ଦେଇ ବିଜେପି ପଶ୍ଚିମବଙ୍ଗ ଦଖଲ ଅଭିଯାନ ଆରମ୍ଭ କରିଛି । ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ବିବେକାନନ୍ଦଙ୍କ ପୈତୃକ ବାସଭବନ ରାମକୃଷ୍ଣ ମିଶନ ପରିଦର୍ଶନ କରିଛନ୍ତି । ଏହା ପରେ ମହାମାୟା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ।

ଆଜି ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଜଣେ ଟିଏମସି ସାଂସଦଙ୍କ ସହ ୯ ଜଣ ବିଧାୟକ ବିଜେପିରେ ମିଶିଛନ୍ତି। ଏହି ୧୦ ଜଣ ନେତାଙ୍କ ମଧ୍ୟରୁ ୬ ଜଣ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ସଦସ୍ୟ। ଟିଏମସି ସାଂସଦ ସୁନୀଲ ମଣ୍ଡଳ, ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଉ ୪ ଜଣ ବିଧାୟକ ଆଜି ପଦ୍ମ ଧରିଛନ୍ତି। ସେହିପରି ସିପିଏମର ତାପସୀ ମଣ୍ଡଳ ମଧ୍ୟ ଆଜି ଶାହଙ୍କ ଉପସ୍ଥିତରେ ବିଜେପିରେ ମିଶିଛନ୍ତି। ଏ ସମ୍ପର୍କରେ ବିଧାୟକ ତାପସୀ ଗତକାଲି ଘୋଷଣା କରିଥିଲେ।

ବିଜେପିରେ ମିଶିଥିବା ଅନ୍ୟ ବିଧାୟକମାନେ ହେଲେ ଅଶୋକ ଡିଣ୍ଡା, ସୁଦୀପ ମୁଖାର୍ଜୀ, ସୈକତ ପଞ୍ଜା, ଶିଲଭଦ୍ରା ଦତ୍ତ, ଦୀପାଲି ବିଶ୍ୱାସ, ସୁକ୍ରା ମୁଣ୍ଡା, ଶ୍ୟାମପଦ ମୁଖାର୍ଜୀ, ବିଶ୍ୱଜିତ କୁଣ୍ଡୁ ଓ ବନସାରୀ ମୈତି।ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସ୍‌ରେ ବିଦ୍ରୋହ ଦେଖିବାକୁ ମିଳିଛି। ପ୍ରଥମେ ଦଳରୁ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେଇଥିଲେ। ଗତ ୨୭ ତାରିଖରେ ଶୁଭେନ୍ଦୁ ମମତାଙ୍କ କ୍ୟାବିନେଟରୁ ଇସ୍ତଫା ଦେବାପରେ ଡ଼ିସେମ୍ବର ୧୬ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ ।

ଏହାରି ଭିତରେ ଏକାଧିକ ଟିଏମସି ନେତା ଦଳ ଛାଡ଼ି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢୁଛି । ଗତକାଲି ଦୁଇଜଣ ଟିଏମସି ବିଧାୟକ ଦଳ ଛାଡ଼ିଛନ୍ତି ।ଅନ୍ୟପଟେ ବିଜେପି ପରେ ଏବେ କଂଗ୍ରେସ , ସିପିଆଇ ଓ ସିପିଆଇ (ଏମ) ର ଅନେକ ବରିଷ୍ଠ ନେତା ଓ ବିଧାୟକ ମାନେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଆଜି ଯେଭଳି ଭାବେ ମମତାଙ୍କ ହାତ ଛାଡି ଶୁଭେନ୍ଦୁ ଓ ସୁନିଲ ବିଜେପିରେ ଯୋଗଦେଲେ ତାହା ମମତାଙ୍କ ପାଇଁ ଭାରିପଡିବ । କାରଣ ମେଦିନାପୁର ଅଞ୍ଚଳରେ ଶୁଭେନ୍ଦୁ ଜଣେ ବେସ୍ ଲୋକପ୍ରିୟ ନେତା ହୋଇଥିବା ବେଳେ ତାଙ୍କ ନିୟନ୍ତ୍ରଣରେ ୫୦ ଜଣ ବିଧାୟକ ରହିଛନ୍ତି ।