Odia News Portal

ବିଜେପି ସଂକଳ୍ପପତ୍ରରେ ସୋନାର ବାଙ୍ଗଲା ସ୍ୱପ୍ନ

ମହିଳାମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଆଜି ବିଜେପି ନିଜର ଘୋଷଣାପତ୍ର ଜାରି କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଓ ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି ହୋଇଛି । ଏଥିର ବିଜେପି ନିଜର ଘୋଷଣାପତ୍ରରେ ମହିଳାମାନଙ୍କୁ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏଥିସହ ଆୟୁଷ୍ମାନ ଯୋଜନାରେ ଲାଭ ପଶ୍ଚିମବଙ୍ଗବାସୀ ପାଇବେ ବୋଲି ବିଜେପି ନିଜର ଘୋଷଣା ପତ୍ରରେ ଉଲ୍ଲେଖ କରିଛି ।ମେନିଫେଷ୍ଟୋ ମାଧ୍ୟମରେ ବେଙ୍ଗଲ ପାଇଁ ବିଜେପିର ଲକ୍ଷ୍ୟ ସମ୍ପର୍କରେ ଶାହା କହିଛନ୍ତି।

ସୁନାର ବଙ୍ଗଳା କରିବାକୁ ପ୍ରସ୍ତୁତ ହୋଇଥିବା ରୋଡ୍‌ ମ୍ୟାପ୍‌ ପଶ୍ଚିମବଙ୍ଗବାସୀଙ୍କୁ ବୁଝାଇଛନ୍ତି ଅମିତ ଶାହା। ବିଜେପିର ଘୋଷଣାପତ୍ର ସମସ୍ତ ୨୯୪ ବିଧାନସଭା କ୍ଷେତ୍ରର ଜନତାଙ୍କ ପରମାର୍ଶ କ୍ରମେ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଇସ୍ତାହାର ପ୍ରକାଶ ସମୟରେ ଶାହା କହିଛନ୍ତି, ବିଜେପି ପଶ୍ଚିମବଙ୍ଗ ଲୋକଙ୍କ ଇଚ୍ଛା ପୂରଣ କରିବ। ଆମେ ଏହି ସଂକଳ୍ପ ନେଇଛୁ । ଏହା କେବଳ ଘୋଷଣା ନୁହେଁ ଏହା ଆମ ସଂକଳ୍ପ। ଆମେ ବେଙ୍ଗଲକୁ ସୁନାର ବେଙ୍ଗଲ କରିବୁ। ଏହା କୌଣସି କଳ୍ପନା ନୁହେଁ ବରଂ ସଂକଳ୍ପ ପତ୍ରକୁ ପ୍ରାଥମିକତା ଦେଇଛୁ ବୋଲି ଶାହା କହିଛନ୍ତି ।

ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ସରକାର କରିବା ପରେ ସମସ୍ତ ମହିଳାମାନଙ୍କୁ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବ। ପିଏମ ସମ୍ମାନ ନିଧି ଯୋଜନାର ଲାଭ ମିଳିବ। ୭୫ ଲକ୍ଷ କୃଷକଙ୍କୁ ୧୮ ହଜାର ଟଙ୍କା ଲେଖାଏଁ ୩ ବର୍ଷ ହେଲା ଦିଦି ଦେଇନଥିଲେ। ତାହା ସିଧା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଆମେ ସ୍ଥିର କରିଛୁ ବ୍ୟକ୍ତି କଣ ପକ୍ଷୀଟିଏ ବି ରାଜ୍ୟର ସୀମା ଭିତରକୁ ଅନୁପ୍ରବେଶ କରିପାରିବନାହିଁ। ସୀମା ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବୁ ବୋଲି ମଧ୍ୟ ସେ କହିଛନ୍ତି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ଏଥର ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି । ସେଠାରେ କ୍ଷମତାସୀନ ତୃଣମୂଳ କଂଗ୍ରେସକୁ ବିଜେପି ଏଥର ଜୋରଦାର ଟକ୍କର ଦେଉଛି । ବିଶେଷକରି ପଶ୍ଚିମବଙ୍ଗରେ ଏଥର ଦିଦି-ମୋଦି ଲଢେଇ ହେବ ବୋଲି କୁହାଯାଉଛି । ଦୀର୍ଘ ୧୦ ବର୍ଷର ମମତା ଶାସନକୁ ହଟେଇ ବିଜେପି ଏଠାରେ ନିଜ ସରକାର ଗଢିବାକୁ ରଣନୀତି ପ୍ରସ୍ତୁତ କରୁଛି ।