Odia News Portal

ମରୁଡ଼ି ମୁକାବିଲା ନେଇ ଏମିତି କହିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ବିଧାନସଭା ମୌସୁମୀ ଅଧିବେଶନ । ମରୁଡ଼ି ପରିସ୍ଥିତି ନେଇ ବିରୋଧୀମାନେ ହୋହାଲ୍ଲା କରିଥିଲେ । କିଛ ସମୟ ଲାଗି ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତେବେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି କି, ଗତ ୨୦ବର୍ଷ ଭିତରେ ୮ଥର ରାଜ୍ୟରେ ମରୁଡ଼ି ହୋଇଛି । ଚଳିତ ବର୍ଷାଋତୁରେ ଅଗଷ୍ଟ ୨୮ତାରିଖ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କମ ବର୍ଷା ହୋଇଥିବା କାରଣରୁ ୧୪ଜିଲ୍ଲାର ୪୭ଟି ବ୍ଲକରେ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି । ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ସେଠାରେ କଣ୍ଟିଜେନସି କ୍ରପ ପ୍ଲାନ ପ୍ରସ୍ତୁତ କରାଯାଉଛି । ଏବେ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମରୁଡ଼ିସ୍ଥିତିରେ ସୁଧାର ଆସିଛି । ଯେଉଁ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି ସେଠି ପମ୍ପସେଟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଠା ଜଳସେଚନ ଓ କେନାଲ ପାଣିକୁ ୭ଦିନ ଭିତରେ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ଚାଷୀଙ୍କ ପ୍ରତିଟି ସୂଚନା ପ୍ରଦାନ କରିବାକୁ ପଞ୍ଚାୟତସ୍ତରରେ ହ୍ୱାଟସଆପ ଗ୍ରୁପ୍ କରାଯାଇଛି । ଯେଉଁ ଗ୍ରୁପ୍ ଜରିଆରେ ଚାଷୀଙ୍କୁ ବୈଷୟିକ ପରାମର୍ଶ ଦିଆଯାଉଛି । ଆଗାମୀ ଦିନରେ ମନେରଗା ଯୋଜନାରେ ଚାଷୀଙ୍କ ପାଇଁ ଅଧିକ ସଂଖ୍ୟକ ପୋଖରୀ ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି ।