Odia News Portal

ବିରୋଧୀ ଦଳ ନେତାଙ୍କୁ ୫ଟି ଭୂତ ଘାରିଛି:ଅରୁଣ ସାହୁ

ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବା ଯୋଗୁ ଅପରାହ୍ଣ ୪ ଟା ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୂନ୍ୟକାଳରେ ୫-ଟି ସ୍କୁଲକୁ କମ୍ପ୍ୟୁଟର ଯୋଗାଣ ପ୍ରସଙ୍ଗ ଉଠାଇ କହିଛନ୍ତି, ୫-ଟି ସ୍କୁଲଗୁଡ଼ିକୁ ଯୋଗାଇ ଦିଆଯାଇଥିବା କମ୍ପ୍ୟୁଟରରେ ସୁବ୍ରତ ଛାଟୋଇଙ୍କ ଭୂମିକା କଣ? ଆଇଟି ସଚିବ ଏବଂ ୫-ଟି ସଚିବଙ୍କ ସହ ତାଙ୍କର କଣ ସମ୍ପର୍କ ରହିଛି? ଜାଲ ସାର୍ଟିଫିକେଟ ରାକେଟ ବଲାଙ୍ଗୀରରେ ଧରା ପଡିଛି। ତା ସହିତ ବଣିକ ଇନଷ୍ଟିଚ୍ୟୁଟ ର କଣ ସମ୍ପର୍କ ରହିଛି? ଗୃହରେ ଏ ନେଇ ସରକାର ଉତ୍ତର ରଖନ୍ତୁ।ଠିକ୍ ସେହିପରି ବିରୋଧୀ ଦଳ ନେତା ରାଜ୍ୟର ସୀମା ବିବାଦ ପ୍ରସଙ୍ଗ ଉଠାଇ କହିଛନ୍ତି, କୋଟିଆ ଗ୍ରାମପୁଞ୍ଜ ଏବଂ ୨୧ ଗାଁରେ ଆନ୍ଧ୍ର ହସ୍ତକ୍ଷେପ କରୁଛି। ତାଙ୍କର ଉପ ମୁଖ୍ୟମନ୍ତ୍ରୀ ଆସି ସେ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। ଆନ୍ଧ୍ର ପକ୍ଷରୁ ବିଭିନ୍ନ ସହାୟତା ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୋଟିଆ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ।ତାହା କୁଆଡ଼େ ଗଲା? ଅନ୍ୟ ରାଜ୍ୟ ସହିତ ବି ଓଡ଼ିଶାର ସୀମା ବିବାଦ ରହିଛି ସରକାର କଣ ପଦକ୍ଷେପ ନେଉଛନ୍ତି?
ଏହାର ଜବାବରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି କୋଟିଆ ପ୍ରସଙ୍ଗରେ ବିରୋଧୀ ଡ୍ରାମା କରୁଛନ୍ତି । ତାଙ୍କର ତିନି ଜଣ କେନ୍ଦ୍ର ମନ୍ତ୍ରୀ ଓ ୮ ଜଣ ସାଂସଦ ଅଛନ୍ତି। କିନ୍ତୁ କେହି କିଛି ବି କହୁ ନାହାନ୍ତି । ଏ କଥା କେତେଥର ପ୍ରଧାନମନ୍ତ୍ରୀଙ୍କୁ କେତେ ଥର ଜଣାଇଛନ୍ତି । ସୀମା ବିବାଦ ସମାଧାନ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର।ବିରୋଧୀ ଦଳ ନେତା ଙ୍କୁ ୫-ଟି ଭୂତ ଘାରିଛି।