Odia News Portal

ଅଷ୍ଟ୍ରେଲିଆ ବଦଳାଇବ ଟିମ, ହୋଇପାରେ କୁନମ୍ୟାନଙ୍କ ପଦାର୍ପଣ

ଭାରତ-ଅଷ୍ଟ୍ରେଲିଆ, ନାଗପୁର ଟେଷ୍ଟକୁ ପାଳି ବ୍ୟବଧାନରେ ହାରିଯିବା ପରେ ଅଷ୍ଟ୍ରେଲିଆ ଦଳରେ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବାମହାତୀ ସ୍ପିନର୍ ମାଥ୍ୟୁ କୁନମ୍ୟାନ୍ଙ୍କୁ ଦଳ ତୁରନ୍ତ ଡାକିଛି। ନାଗପୁରରେ ଖେଳିନଥିବା ଅନ୍ୟତମ ବାମହାତୀ ସ୍ପିନର୍ ଅଷ୍ଟନ ଆଗରଙ୍କ ସହ ସେ ସାମିଲ ହେବେ। ନାଗପୁରରେ ଦୁଇ ଭାରତୀୟ ସ୍ପିନର୍ ଅଶ୍ବିନ- ଜାଡେଜା ମିଳିତ ଭାବେ ୧୫ ୱିକେଟ୍ ଦଖଲ କରିବା ପରେ ଅଷ୍ଟ୍ରେଲିଆ ଏବେ ୩ ଜଣିଆ ସ୍ପିନ୍ ଆକ୍ରମଣ ନେଇ ଖେଳିବା କଥା ଗୁରୁତର ସହ ବିଚାର କରୁଛି। ଦିଲ୍ଲୀରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟରେ କୁନମ୍ୟାନ୍ ପଦାର୍ପଣ କରିପାରନ୍ତି ବୋଲି ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଆଣ୍ଡ୍ରିଉ ମ୍ୟାକଡୋନାଲ୍ଡ କହିଛନ୍ତି। ସେହିଭଳି ନାଗପୁରର ଉଭୟ ପାଳିରେ (୧, ୧୦) ବିଫଳ ଡେଭିଡ୍ ୱାର୍ଣ୍ଣରଙ୍କୁ ଭ୍ରମଣକାରୀ ଦଳ ବାହାରେ ବସାଇ ଅଫସ୍ପିନ୍ ଅଲରାଉଣ୍ଡର୍ ଟ୍ରାଭିସ୍ ହେଡଙ୍କୁ ଖେଳାଇବ ବୋଲି ଯୋଜନା କରୁଛି। ନାଗପୁରରେ ଖେଳିନଥିବା ଆହତ କାମେରନ୍ ଗ୍ରିନ୍ ଏବଂ ମିଚେଲ ଷ୍ଟାର୍କ ମଧ୍ୟ ଦ୍ବିତୀୟ ଟେଷ୍ଟ୍ ଚୟନ ପାଇଁ ଉପଲବ୍ଧ ହେବେ। କେବଳ ମିଚେଲ୍ ସ୍ବିପସନ୍ ତାଙ୍କ ପ୍ରଥମ ସନ୍ତାନ ଜନ୍ମ ହେବାକୁ ଥିବାରୁ ଅଷ୍ଟ୍ରେଲିଆ ଫେରି ଯାଇଛନ୍ତି।