Odia News Portal

ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ବର: ଆଜି ୨୪ ଘଣ୍ଟିଆ ସର୍ବଭାରତୀୟ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହେବେ । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରାପତ୍ତା ମାନ ଆଇନକୁ ପରିବର୍ତ୍ତନ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ତେବେ ବନ୍ଦ ପାଳନ ସମୟରେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିବ ବୋଲି ସୂଚନା ଦେଇଛି ଓଡିଶା ବ୍ୟବସାୟୀ ମହାସଂଘ । ସେପଟେ ବନ୍ଦ ଡାକରାକୁ ଆଖିରେ ରଖି ରାଜଧାନୀ ଭୁବନେଶ୍ଵରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛି କମିସନରେଟ ପୁଲି୍ସ । ବ୍ୟବସାୟୀ ସଂଘ ଭାରତ ବନ୍ଦ ପାଇଁ ୨, ୩ଟି କାରଣ ଦର୍ଶାଇଛନ୍ତି । ବନ୍ଦର ମୁଖ୍ୟ କାରଣ ହେଉଛି ଜିଏସଟିର ସରଳୀକରଣ । ବ୍ୟବସାୟୀ ସଂଘର ଯୁକ୍ତି ହେଲା ଜିଏସଟିର ରୁପରେଖରେ ପରିବର୍ତ୍ତନ ହୋଇଯାଇଛି ।

୨୦୧୭ ଜୁଲାଇରେ ସରକାର ଜିଏସଟି ଆଣିଥିଲେ । କିନ୍ତୁ ମୂଳ ଜିଏସଟିରେ ଯାହା ଥିଲା ଏବେ ସେଥିରେ ପରିବର୍ତ୍ତନ ହୋଇଥିବା କହୁଛି ବ୍ୟବସାୟୀ ସଂଘ ।୨୦୧୭ ମସିହାରୁ ଏଯାଏଁ ମୂଳ ଜିଏସଟିରେ ୯୫୦ଥର ସଂଶୋଧନ କରାଗଲାଣି । ଦ୍ୱିତୀୟରେ ଜିଏସଟି ବ୍ୟତୀତ ଅନଲାଇନ ବିକ୍ରିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବ୍ୟବସାୟୀ ସଂଘ । ଏଥିରେ କୌଣସି ନିତିନିୟମ ନାହିଁ । ତେଣୁ ତୁରନ୍ତ ଏହାକୁ ନିୟମ ପରିସରକୁ ଆଣିବା ପାଇଁ ଦାବି କରୁଛି ବ୍ୟବସାୟୀ ସଂଘ ।