Odia News Portal

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ

କୃଷି ଆଇନ ବିରୁଦ୍ଧରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକ ଅଖ ସବୁ ବନ୍ଦ

ଭୁବନେଶ୍ୱର: ଆଜି ୧୨ ଘଣ୍ଟା ଭାରତ ବନ୍ଦ । କଳା କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। କୃଷି ଆଇନ ବିରୁଦ୍ଧରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକ ଅଖ ସବୁ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି।ସେହିଭଳି ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି। ତେବେ କୃଷକ ସଂଗଠନର ଏହି ବନ୍ଦକୁ ସମର୍ଥନ କରିଛନ୍ତି ବାମପନ୍ଥି ଓ କଂଗ୍ରେସ ଦଳ।

ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱରରେ ଗାଡି ଚଳାଚଳ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଛି ।ସେହିପରି ଭାରତ ବନ୍ଦର ଆଂଶିକ ପ୍ରଭାବ ବାଲେଶ୍ୱରରେ ମଧ୍ୟ ପଡିଛି । କୃଷକ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ବାଲେଶ୍ୱରରେ ରେଳ ରୋକ କରାଯାଇ ଥିଲା । କୃଷକ ସଂଗଠନର କର୍ମୀମାନେ ଷ୍ଟେସନରେ ରେଳଧାରଣାରେ ଚଢ଼ି ରେଳରୋକ କରିଛନ୍ତି । ସେହିପରି ଗାଡି ମୋଟର ମଧ୍ୟ ବନ୍ଦ କରିଛନ୍ତି କୃଷକ ସଂଗଠନର କର୍ମୀ ।

ଗୁଣୁପୁରରେ ମଧ୍ୟ ସମାନ ଢଙ୍ଗରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ଆଣିଥିବା ୩ଟି ନୂଆ କୃଷି ବିଲକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଗୁଣୁପୁରରେ ଦେଖିବାକୁ ମିଳିଛି । କୃଷକ ସଂଗଠନର ଏହି ଡାକରାକୁ ସମର୍ଥନ ଏଆଇକେଏମ ଓ ଏଆଇକେଏମଏସ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ରାଉରକେଲା ସହରରେ ମଧ୍ୟ ପଡ଼ିଛି ବନ୍ଦର ପ୍ରଭାବ। ସହରରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ରାଉରକେଲା ଘରୋଇ ଵସଣ୍ଟାଣ୍ଡ ଠାରେ ସିଟୁ ଶ୍ରମିକ ସଂଗଠନ, ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ, ରାଉରକେଲା ହକର୍ସ ଆସୋସିଏସନ୍ ଓ ରାଉରକେଲା ମିନି ଵସ ଆସୋସିଏସନ୍ ପକ୍ଷରୁ ଵନ୍ଦକୁ ସମର୍ଥନ କରାଯାଇଛି।