Odia News Portal

ରାଜ୍ୟର ୧୧୪ ପୌରସଂସ୍ଥାର ପରିମଳ କର୍ମଚାରୀ ସମ୍ମାନିତ

ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ୧୧୪ ପୌରାଞ୍ଚଳରେ ୨୭ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବିଶେଷକରି ସ୍ୱଚ୍ଛ ସାଥୀମାନଙ୍କ ଦ୍ୱାରା ପରିମଳ କାର୍ଯ୍ୟକ୍ରମ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସିଟି / ପିଟି ସଫେଇ ଏବଂ ଡିଜିଟାଲ୍ ମନିଟରିଂ ମାଧ୍ୟମରେ ନାଗରିକଙ୍କ ମତାମତ, ମିଶନ୍ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଆବର୍ଜନାକୁ ପ୍ରସ୍ତୁତ କଳାକୃତିର ପ୍ରଦର୍ଶନ, ରାଲି, ୱାର୍ଡ ସ୍ୱଚ୍ଛତା ଅଭିଯାନ, ବି ଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା’ ଆହ୍ୱାନକୁ କାର୍ଯ୍ୟକାରୀ ଲାଗି ମିଶନ୍ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମନୋନୀତ ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ପରିମଳ କର୍ମଚାରୀଙ୍କ କାର୍ଯ୍ୟକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ଚିହ୍ନିବା ପାଇଁ “ବଡାଖାନା” ସହିତ ସମସ୍ତ ୧୧୪ ପୌରସଂସ୍ଥା ଦ୍ୱାରା ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୌରସଂସ୍ଥା ଗୁଡିକ ବଡାଖାନାକୁ ସଂଗଠିତ କରନ୍ତି ଯାହା ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ନିୟମିତ ବ୍ୟବଧାନରେ ସମସ୍ତ ପରିମଳ କର୍ମଚାରୀ ଏବଂ ପୌସଂସ୍ଥାର ଅଧିକାରୀମାନଙ୍କୁ ଏକ ଅନୌପଚାରିକ ଭାବରେ ଏକତ୍ର କରିଥାଏ ।

ବଡାଖାନା ପୌରସଂସ୍ଥା ଦ୍ୱାରା ପରିମଳ ଶୃଙ୍ଖଳାରେ ଥିବା ବିଭେଦକୁ ଦୂର କରିଥାଏ । କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ପରିମଳ କର୍ମଚାରୀଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ଅଧିକାରୀ / ବିଭାଗର ପ୍ରତିନିଧୀ, ପରିମଳ ବିଜେତା / ସ୍ୱଚ୍ଛ ଆମ୍ବାସେଡରମାନେ ଯୋଗ ଦେଇଥିଲେ । ସମୁଦାୟ ୨୫୬୭୩ ପରିମଳ କର୍ମଚାରୀଙ୍କୁ ଉତ୍ସାହିତ କରାଯାଇଥିଲା ଏବଂ ସମସ୍ତ ପୌର ସଂସ୍ଥାକୁ ଟୋକନ ଭାବେ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ପରିମଳ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ରାଜ୍ୟର ପୌରସଂସ୍ଥା ଦ୍ୱାରା କରାଯାଇଥିବା ଏହି ର୍ନିଦ୍ଦିଷ୍ଟ କାର୍ଯ୍ୟକଳାପରେ ଉତ୍ସାହିତ ହୋଇପଡିଛନ୍ତି ।