Odia News Portal

ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ କଟକ ସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିମାନବନ୍ଦର ସ୍ଥିତ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଯାତ୍ରାର ଆୟୋଜନ କରାଯାଉଛି ।ଏହି ଶୋଭାଯାତ୍ରାରେ ବିଜୁଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ମାନ୍ୟବାର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ସାଇକେଲ ଶୋଭାଯାତ୍ରାରେ ହଜାର ହଜାର ଯୁବଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳର ସାମାଜିକ ପ୍ରତିବଦ୍ଧତାକୁ ଆଗେଇ ନେବା ପାଇଁ ଓଡ଼ିଶାର ପ୍ରତ୍ୟେକ ଯୁବଛାତ୍ରଙ୍କ ପ୍ରେରଣାର ଉତ୍ସ, ସାହସର ସ୍ତମ୍ଭ ବିଜୁବାବୁଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମାର୍ଚ୍ଚ ୫ ତାରିଖଠାରୁ ଅପ୍ରେଲ ୧୭ ତାରିଖ ପର୍ଯ୍ୟନ୍ତ ବିଜୁ ଯୁବଛାତ୍ର ଜନତା ଦଳ ଆନୁକୁଲ୍ୟରେ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ଉତ୍ସର୍ଗୀ କୃତ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ଡ.ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏହା ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।