Odia News Portal

ପ୍ରଚଣ୍ଡ ତାତିରେ ତୃଷାର୍ତ୍ତଙ୍କୁ ସେବା ଯୋଗାଉଛି ବିଜେଡି

ଗତ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟରେ ରେକର୍ଡ ଭାଙ୍ଗି ଗତ ଏପ୍ରିଲ୍ ମାସ ନିଜକୁ ସବୁଠୁ ତାତିଲା ଏପ୍ରିଲ ପ୍ରମାଣିତ କରିଥିଲା। ଆଉ ଏବେ ତ ପ୍ରଚଣ୍ଡ ରୌଦ୍ରତାପର ମାସ ମେ। ଜଳୁଛି ପୃଥିବୀ, ଚାରିଆଡ଼େ ଉଷ୍ମ ପରିବେଶରେ ସୂର୍ଯ୍ୟଙ୍କ ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାର ପ୍ରମୁଖ ସହରରେ ପାରଦ ପ୍ରାୟ ୪୦ ଡିଗ୍ରୀ ପାଖାପାଖି ବା ତା ଉପରେ ରହୁଛି। ଭୌଗୋଳିକ ନିୟମର ବ୍ୟତିକ୍ରମ ଘଟାଇ ଉପକୂଳିଆ ଅଞ୍ଚଳ ବି ତତଲା କଡ଼େଇରେ ସିଝୁଛି। ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହେଉଛି। ଦିନ ଦଶଟା ହେଲା ପରେ ଲୋକେ ଘରୁ ପଦାକୁ ବାହାରିଲେ ଅନେକ ଚିନ୍ତା କରି ବାହାରୁଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ଚିନ୍ତା କେବେ ଆସିବ ମୌସୁମୀ, ଆଉ କେବେ ଏ ତାତିରୁ ତ୍ରାହି ମିଳିବ। ତେବେ ଏପରି ସମୟରେ ସାଧାରଣ ଲୋକଙ୍କୁ ସେବା ଯୋଗାଇ, ପ୍ରଚଣ୍ଡ ଉତ୍ତାପରେ ଲୋକଙ୍କୁ ଟିକିଏ ତ୍ରାହି ଦେବା ପାଇଁ ବିଭିନ୍ନ ସ୍ଥାନରେ ଆଗେଇ ଆସିଛନ୍ତି ବିଜୁ ଜନତା ଦଳର ନେତା, କର୍ମୀ, ଜନପ୍ରତିନିଧି। ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ବିଜେଡି ଦ୍ବାରା ଜଳଛତ୍ର ଖୋଲାଯାଇଛି। ଲୋକଙ୍କୁ ବିଶୁଦ୍ଧ ଓ ପ୍ରାକୃତିକ ଥଣ୍ଡା ପାନୀୟ ଜଳ, ଘୋଳ ଦହି, ଚହ୍ଲା ଆଦି ସ୍ବାସ୍ଥ୍ୟକୁ ହିତକର ପାନୀୟ ଯୋଗାଇ ଦିଆଯାଉଛି। ରାସ୍ତାକଡ଼ରେ ଏଭଳି ଜଳଛତ୍ର ଗ୍ରୀଷ୍ମ ଋତୁ ସାରା ଖୋଲି ତୃଷାର୍ତ୍ତଙ୍କୁ ଖରା ଦିନରେ ସେବା ଯୋଗାଇବାକୁ ବଦ୍ଧପରିକର ବିଜେଡି। ବିଶେଷ କରି ସହରକୁ ଆଖପାଖ ଗ୍ରାମାଞ୍ଚଳରୁ ଆସିଥିବା ଗରିବ, ସାଧାରଣ ବର୍ଗର ଲୋକ, ଯାତ୍ରୀମାନେ ବିଜେଡିର ଏହି ଜଳଛତ୍ରରୁ ବେଶ୍ ଉପକୃତ ହୋଇ ଦଳକୁ ସାଧୁବାଦ ଜଣାଉଥିବା ପରିଲକ୍ଷିତ ହେଉଛି।

ଜିଲ୍ଲାର ସବୁଠୁ ବଡ଼ ସହର ବ୍ରହ୍ମପୁରରେ ଓଡ଼ିଆ ନବ ବର୍ଷ ତଥା ପଣାସଂକ୍ରାନ୍ତି ଅବସରରେ ଜଳଛତ୍ର ଆରମ୍ଭ କରାଯାଇ ଥିଲା। ରାଧାକୃଷ୍ଣ ବଣିକ ସଂଘ ସହଯୋଗରେ ଆସିକା ରୋଡ୍ ତୁଳସୀ ନଗର ଛକରେ ଠାରେ ଜଳଛତ୍ର ଖୋଲାଯାଇ ଉକ୍ତ ରାସ୍ତାରେ ଯାଉଥିବା ବହୁ ଲୋକଙ୍କୁ ନବାତ ପଣା ବିତରଣ କରାଯାଇ ଥିଲା। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ଲାଞ୍ଜିପଲ୍ଲୀ ଠାରେ ଜଳଛତ୍ର ଖୋଲାଯାଇଛି। ମେୟର ସଂଘମିତ୍ରା ଦଳାଇ ଓ ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ସ୍ଥାନୀୟ କର୍ପୋରେଟର୍ ସୁରେନ୍ଦ୍ର ମହାରଣା ତାହାକୁ ଉଦ୍‌ଘାଟନ କରିଥିଲେ। ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଚହ୍ଲା ଓ ତରଭୂଜ ପାନୀୟ ବଣ୍ଟାଯାଉଛି। ଡେପୁଟି ମେୟର ଇ.ବିବେକଙ୍କ ତତ୍ତ୍ଵାବଧାନରେ ସହରବାସୀଙ୍କୁ ଏପରି ଜଳସେବା ଅଧିକ ଯୋଗାଇଦେବା ପ୍ରୟାସ କରାଯାଉଛି। ସହରର ଅନେକ ସ୍ଥାନରେ ଏଭଳି ଜଳଛତ୍ର ଜରିଆରେ ଯାତ୍ରୀ, ପଥଚାରୀଙ୍କ ଶୋଷ ନିବାରଣ କରୁଛନ୍ତି ବିଜେଡି କର୍ମୀ ଓ କର୍ମକର୍ତ୍ତା।