Odia News Portal

ବିଜେଡି ପ୍ରତିଷ୍ଠା ଦିିବସ: ମହିଳା କାର୍ଡ ଖେଳିଲେ ନବୀନ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିିବସ । ଏହି ଅବସରରେ ଦଳର କର୍ମୀ ଠୁ ନେତା ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ତେବେ ଉଦବୋଧନରେ ମହିଳା କାର୍ଡ ଖେଳିଛନ୍ତି ନବୀନ । ମହିଳା ସଶକ୍ତିକରଣ ଓ ମହିଳା ବିକାଶ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ବିକାଶ ଓ ଦଳର ସାଂଗଠନିକ କାର୍ଯ୍ୟଶୈଳୀ ବାବଦରେ ତୃଣମୂଳସ୍ତର ପର୍ଯ୍ୟନ୍ତ ପହଂଚିଛି ନବୀନଙ୍କ ବାର୍ତା ।

ନବୀନ କହିଛନ୍ତି, ଆମ ଦଳ ମହିଳା ଶସକ୍ତୀକରଣ ଉପରେ ଗୁରୁତ୍ୱ ଦେଇଛି । ମା ଆଗେଇଲେ ଦେଶ ଓ ସମାଜ ଆଗେଇବ । ମା ମାନେ ହେଉଛନ୍ତି ସମାଜର ରଥର ଅଖ । ସେମାନଙ୍କ ବିନା ପ୍ରଗତୀର ରଥ ଗଡି ପାରିବ ନାହିଁ । ବିଜୁ ବାବୁ ମହିଳାମାନଙ୍କ ପାଇଁ ପଂଚାୟତରେ ସଂରକ୍ଷଣ ବ୍ୟବସ୍ଥା ଆଣିଲେ । ସେହିଭଳି ଚାକିରୀ କ୍ଷେତ୍ରରେ ସରଂକ୍ଷଣ ବ୍ୟବସ୍ଥା ବି କରିଥିଲେ । ଆମ ସରକାର ଏ କ୍ଷେତ୍ରରେ ୫୦ ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା କରିଛି । ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ । ୨୦୧୯ ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାମାନଙ୍କୁ ଟିକେଟ ଦେଇଛି । ନିର୍ବାଚନ ଆସିଲେ ଜାତୀୟ ଦଳ ମହିଳା ଶସକ୍ତୀକରଣ କଥା କହୁଛନ୍ତି । କିନ୍ତୁ ନିର୍ବାଚନ ପରେ ସେକଥା ଭୁଲି ଯାଉଛନ୍ତି ।

ବିଜୁ ଜନତା ଦଳ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସରଂକ୍ଷଣ ପାଇଁ ସ୍ୱର ଜୋରଦାର କରିବ । ପ୍ରତ୍ୟେକ ପ୍ଲାଟଫର୍ମରେ ଆମେ ଏ ପ୍ରସଙ୍ଗ ଉଠାଇବୁ । ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ତାର ଲଢ଼େଇ ଜାରୀ ରଖିବ । ଗାଁ ଗାଁରେ, ଘରେ ଘରେ ମା ମାନଙ୍କୁ ସଚେତନ କରାଇବ ବିଜେଡି । ଏହାକୁ ଆମେ ଆନ୍ଦୋଳନର ରୁପ ଦେବୁ । ସମାଜରେ ନାରୀର ଗୁରୁତ୍ୱ କେତେ ତାହା ଜଣାଇବୁ । ଓଡିଶାରେ ୮୦ ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସେମାନେ ପ୍ରତ୍ୟେକ କ୍ଷେତ୍ରର ନିଜ ଦାୟିତ୍ୱ ତୁଲାଉଛନ୍ତି । ମହିଳାମାନେ ହକ୍ ପାଇଲେ ଆମେ ଆଗକୁ ଯାଇପାରିବା ।

କୋଭିଡ କଟକଣାକୁ ମାନି ସମସ୍ତ ନିର୍ବାଚନମଣ୍ଡଳୀସ୍ତରରେ ପାଳିତ ହୋଇଛି ପ୍ରତିଷ୍ଠା ଦିବସ । ଭିଡିଓ କନଫରେନ୍ସି ଜରିଆରେ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ଦଳ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ତୃଣମୂଳସ୍ତରର କର୍ମୀ ପ୍ରମୁଖ ଭୁମିକା ଗ୍ରହଣ କରିବା ନେଇ ସଙ୍କେତ ଦେଇଛି ବିଜୁ ଜନତା ଦଳ ।