Odia News Portal

ବିଜେଡିର ନୂଆ ରଣନୀତି:ୱାର୍ଡକୁ ପ୍ରାଥମିକ ୟୁନିଟ ଭାବେ ଗ୍ରହଣ ପାଇଁ ଲକ୍ଷ୍ୟ ରଖିଛି ଦଳ

ଦଳକୁ ଗାଁ ଗାଁରେ ଆହୁରି ମଜଭୁତ କରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।ବୁଥ କମିଟି ଗଠନ କରି ଦଳକୁ ଦଶନ୍ଧି ଦଶନ୍ଧି ଧରି ତୃଣମୁଳସ୍ତରରେ ସଂଗଠିତ କରି ରଖିଥିବା ବିଜୁ ଜନତା ଦଳ ଏବେ ୱାର୍ଡକୁ ପ୍ରାଥମିକ ୟୁନିଟ ଭାବେ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି । ଏହାରି ଆଧାରରେ ହିଁ ଦଳ ରାଜନୀତିରେ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଭୋଟରେ ଆଗରେ ରହିପାରିବ ବୋଲି ବରିଷ୍ଠ ନେତା ଦଳୀୟ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ପାଖାପାଖି ୧୦ ବର୍ଷ ପରେ ଦଳ ତାର ସମ୍ବିଧାନରେ କିଛିଟା ପରିବର୍ତ୍ତନ କରିଛି ।

ମିଶନ ୧୨୦ ନେଇ ବିଜେପି ଯେତେବେଳେ ଆଗକୁ ବଢୁଥିଲା, ସେତେବେଳେ ରାଜ୍ୟର ପ୍ରାୟ ୩୬ ହଜାର ବୁଥରେ ବୁଥ କମିଟି ଗଢିବାରେ ଦଳ ବିଫଳ ହୋଇଥିଲା । ଯାହାକୁ ନେଇ ଖୋଦ ସେତେବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ ଶାହା କର୍ମକର୍ତ୍ତାଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଥିଲେ । ପରେ ତୁରନ୍ତ ବୁଥ କମିଟି ଗଠନ କରିବାକୁ ନିର୍ଦ୍ଦେଶ ବି ଦେଇଥିଲେ ଶାହା। ହେଲେ ପ୍ରତିନିଧିଙ୍କୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ସରିଗଲା ସିନା ସମସ୍ତ ବୁଥ୍ କମିଟି ବିଲକୁଲ ଗଠନ ହୋଇପାରିନଥିଲା । ଏନେଇ ଦଳୀୟ ମହଲରେ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଥିଲା । ଜାଣିଶୁଣି କେନ୍ଦ୍ରୀୟ ନେତୃତ୍ୱଙ୍କୁ କାଗଜପତ୍ରରେ ବୁଥ କମିଟି ଗଠନ କରି ପଠାଇ ଦେଇଥିବା କୁହାଗଲା । ଯେଉଁଥିପାଇଁ ଦଳ ନିର୍ବାଚନରେ ବିପର୍ଯ୍ୟୟର ସାମ୍ନା ମଧ୍ୟ କରିଥିଲା ।

ଏବେ ବୁଝିବାର ଆବଶ୍ୟକତା ରହିଛି ଯେ, ଯେତେବେଳେ ବିଜେପି ବୁଥ କମିଟି ଗଢିବାରେ ବିଫଳ ହେଉଛନ୍ତି ସେତେବେଳେ ବିଜେଡି ୱାର୍ଡକୁ ପ୍ରାଥମିକ ୟୁନିଟ ଭାବେ ଗ୍ରହଣ କରି ଆଗକୁ ବଢୁଛି । ପ୍ରତିନିଧିଙ୍କ ସୂଚନା ଅନୁସାରେ, ପ୍ରାୟ ୪ଟି ୱାର୍ଡକୁ ନେଇ ଗୋଟିଏ ବୁଥ ଗଠିତ ହୋଇଥାଏ । ତେଣୁ କ୍ଷମତା ଆଉ ବୁଥ ସ୍ତରରେ ରଖିବା ବଦଳରେ ୱାର୍ଡକୁ ୟୁନିଟ ଭାବେ ଗ୍ରହଣ କରି ନିର୍ବାଚନ ପରିଚାଳନାକୁ ଆହୁରି ସୁଦୃଢ କରିବା ନେଇ ଦଳ ପ୍ରସ୍ତୁତି ଆରମ୍ଭ କରିଛି ।ଦଳ ଆଗାମୀ ପଞ୍ଚାୟତ ଓ ସହର ଭୋଟ ପାଇଁ ଏହି ରଣନୀତି ତିଆରି କରିଥିବା କୁହାଯାଉଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳ ଅନେକ ଆହ୍ୱାନର ଓ ବାଧାର ସାମ୍ନା କରିଥିଲା, ତାକୁ ଦୂରେଇବାକୁ ୱାର୍ଡ ସ୍ତରରେ ଦଳ ମଜଭୁତ ହୋଇ ଗୋଟିଏ ଲେଖାଏଁ ୟୁନିଟ ହିସାବରେ କାର୍ଯ୍ୟ କରିବ ବୋଲି ପ୍ରତିନିଧିଙ୍କୁ ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

୨୦୨୧ ଶେଷ ଆଡକୁ ଅର୍ବାନ ଇଲେକ୍ସନ ଓ ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ସୂଚନା ମିଳୁଛି । ତେଣୁ ୨୦୨୪ ଆଗରୁ ୱାର୍ଡ କମିଟିକୁ ପରୀକ୍ଷାମୁଳକ ଭାବେ ବ୍ୟବହାର କରି ଦଳ ଦେଖିପାରିବ ଏଥିରେ କେତେଦୁର ସଫଳତା ମିଳୁଛି । କାରଣ ବିଜେଡି ଯେତେବେଳେ ଷଷ୍ଠ ଥର ପାଇଁ ନିର୍ବାଚନ ଲଢିବାକୁ ଯିବ ସେତେବେଳେ ଦଳ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିବ । ଯଦି ଏହି ସମୟ ବେଳକୁ ୱାର୍ଡ କମିଟି ମଜଭୁତ ହୋଇ ଭୋଟ ଜଗିପାରିବ ତେବେ ଦଳ ପାଇଁ ନିର୍ବାଚନ ଜିତିବା ସହଜ ହୋଇପାରିବ |