Odia News Portal

ବଲାଙ୍ଗୀରରେ ବନ୍ଦର ପ୍ରଭାବ

ବଲାଙ୍ଗୀର: ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ବନ୍ଦ ରହିଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିଛି । ଏଭଳି ଲୋମ ହର୍ଷଣକାରୀ ବର୍ବର ତଥା ଜଘନ୍ୟହତ୍ୟାକାଣ୍ଡକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ଓ ଆଜି ବଲାଙ୍ଗିର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାରେ ସ୍ୱତଃ ଲୋକଙ୍କ ସମର୍ଥନ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି ।ଅନ୍ୟପଟେ ବିଭିନ୍ନ ସଂଘ ଅନୁଷ୍ଠାନ ମଧ୍ୟ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ ଓ ଧାରଣା ଦେଇଛନ୍ତି।ଏଭଳି ନୃସଂଶ ହତ୍ୟାକାଣ୍ଡକୁ ସର୍ବସାଧାରଣରେ ନିନ୍ଦା କରାଯାଉଛି ।

ସୂଚନା ଅନୁସାରେ ଗତକାଲି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଦଳ ତରଫରୁ ଧାରଣା ତଥା ପ୍ରତିବାଦ କରାଯାଇ ଘଟଣାରେ ବହୁ ବଡ ବଡିଆଙ୍କ ନାମ ଆସୁଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇର ନିଯୁକ୍ତି ନେଇ ବିଜେପି ଦାବୀ କରିଥିଲା । ଘଟଣାର ପ୍ରତିବାଦ ସ୍ୱରୂପ ଆଜି ବଲାଙ୍ଗିର ବନ୍ଦ ଡାକରା ଦେଇଥିଲା । ଅନ୍ୟ ପଟେ ପୋଲିସ ଗିରଫ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କରିବା ପରେ ଅଧିକ ତଦନ୍ତ ପାଇଁ ୫ ଦିନ ରିମାଣ୍ଡରେ ଆଣିଛି । ବଲାଙ୍ଗିର ସାଂସଦ ସଙ୍ଗିତା ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଆହ୍ୱାନ କ୍ରମେ ବିଜେପିର ଶହ ଶହ କର୍ମୀ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।


ତେବେ ଆଜି ବିଜେପି ପକ୍ଷରୁ ବଲାଙ୍ଗିର ବନ୍ଦ ଜାରି ରହିଥିବା ବେଳେ ସହରର ଦୋକାନ ବଜାର ସହ ବସ ଚଳାଚଳ, ବ୍ୟାଙ୍କ,ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟଲୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମମିତାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ସାଧାରଣରେ ମଧ୍ୟ ଦାବୀ ଜୋର୍ ଧରିଛି ।