Odia News Portal

ନିମ୍ନମାନର କାମ, ନିର୍ମାଣ ଶେଷ ହେବା ପୂର୍ବରୁ ଭୁଶୁଡ଼ିଲା କେନାଲ

ବଲାଙ୍ଗୀର: ଚାଷୀଙ୍କୁ ପ୍ରତାରଣା । ନିମ୍ନମାନର କାମ ଯୋଗୁଁ ନିର୍ମାଣଧୀନ କେନାଲ ଭୁଶୁଡ଼ିଲା । କ୍ଷେତକୁ ପାଣି ଯୋଗାଇବା ପୂର୍ବରୁ ଚାଷୀଙ୍କ ଆଶା, ଆଶାରେ ରହିଗଲା । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଝାଙ୍କିରିପାଲି ଗ୍ରାମରୁ।ଏଠି ଥିବା ଗଞ୍ଜାଧାର ଜୋରରେ ପ୍ରାୟ ସାତ କୋଟି ଟଙ୍କା ବ୍ୟୟରେ ଏକ ବ୍ୟାରେଜ ନିର୍ମାଣ ଚାଲିଛି । ଏହାର ଲକ୍ଷ୍ୟ ଝାଙ୍କିରୀ ପାଲି ଓ ଥୁଡ଼ି ବାହାଲ ଗ୍ରାମର ଶତାଧିକ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା । ହେଲେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ଏହି କେନାଲଗୁଡ଼ିକ ବିଭିନ୍ନ ସ୍ଥାନରେ ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ସ୍ଥାନୀୟ ଲୋକେ ନିମ୍ନମାନର କାମ ହୋଇଥିବାର ଅଭିଯୋଗ କରିଛନ୍ତି । ଏବଂ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ତେବେ ବଲାଙ୍ଗୀର ଜିଲ୍ଲାର ଶୁଷ୍କ ଓ ମରୁଡି ପ୍ରବଣ ବେଲପଡ଼ା ବ୍ଲକର ଏହି ଦୁଇ ଗ୍ରାମକୁ ଜଳସେଚିତ କରିବା ପାଇଁ ରାଜ୍ୟ ସରକାର ଏହି ଗଞ୍ଜାଧର ଜୋର ଉପରେ 6 କୋଟି 87 ଲକ୍ଷ ଟଙ୍କା ବ୍ୟୟରେ ଏକ ବ୍ୟାରେଜ ନିର୍ମାଣ କରୁଛନ୍ତି । ତେବେ ଏହାର କାମ ବଲାଙ୍ଗୀର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବିଭାଗ ହାତକୁ ନେଇଥିବା ବେଳେ ଜୁନାଗଡର ଠିକା କମ୍ପାନୀ ଏଚଏମ ଏହାର ନିର୍ମାଣ କରୁଛି। ହେଲେ କେନାଲ କାମ ସମ୍ପୂର୍ଣ୍ଣ ହେବା ଆଗରୁ ତାହା ଭୁଶୁଡ଼ି ପଡ଼ିଛି । ଯାହାର ଅଭିଯୋଗ ହେବା ପରେ ବଲାଙ୍ଗୀର ଏମଆଇପି ବିଭାଗର ମୁଖ୍ୟଯନ୍ତ୍ରୀ ନିଜେ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ସଂପୃକ୍ତ କମ୍ପାନୀକୁ ଏସବୁ ଠିକ କରିବାର ନିର୍ଦ୍ଦେଶ ଦେବା ସହ ତାଙ୍କ ଉପରେ ପେନାଲ୍ଟି ମଧ୍ୟ ଲଗାଇଛନ୍ତି । ସେହିପରି ଆଗକୁ ଦରକାର ପଡ଼ିଲେ ସଂପୃକ୍ତ କମ୍ପାନୀକୁ କଳା ତାଲିକା ଭୁକ୍ତ କରାଯିବ ବୋଲି ସେ କହିଛନ୍ତି ।