Odia News Portal

କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ଼

କେନ୍ଦୁଝର: କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡି ଉପରକୁ ବୋମା ମାଡ଼ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବିଧାୟକ ମୋହନ ମାଝୀ ରବିବାର ମଣ୍ଡୁଆ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳକୁ ମଣ୍ଡୁଆ ପୋଲ ନିକଟରେ ଦୁଇ ଜଣ ଦୁର୍ବୁତ୍ତ ଏକ ହୋଣ୍ଡା ଶାଇନ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ବୋମା ଫିଙ୍ଗିଥିଲେ। ବୋମାମାଡରେ ଗାଡିର ସମ୍ମୁଖ ପଟଟି ନଷ୍ଟ ହୋଇଛି। ତାଙ୍କ ସୁରକ୍ଷା କର୍ମୀ ତଳକୁ ଓହ୍ଲାଇ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବାବେଳେ ଦୁର୍ବୁତ୍ତ ପୁଣି ଏକ ବୋମା ଫିଙ୍ଗିଥିଲେ। ପରେ ସେମାନଙ୍କୁ ଗୋଡାଇବାରୁ ସେମାନେ ନରଣପୁର ଷ୍ଟେସନ ଆଡ଼କୁ ପଲାଇଥିଲେ। ପୁଣି ଥରେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବାରୁ ଦୁର୍ବୁତ୍ତ ମାନେ ବଡ଼ବିଲ ଗାଁ ଦେଇ କେନ୍ଦୁଝର ସହର ଭିତରକୁ ଯାଇଥିବା ଅନୁମାନ କରାଯାଉଛି। ବିଧାୟକ ଟାଉନ ଥାନାକୁ ଆସି ଏକ ଏତେଲା ଦେଇଛନ୍ତି। ବୋମା ମାଡ଼ର କାରଣ ଜଣା ପଡିନାହିଁ।