Odia News Portal

କଟକରେ ବୁଷ୍ଟର୍‌ ଡୋଜ୍‌ ଆରମ୍ଭ , ୭ଟି ଘରୋଇ ଡାକ୍ତରଖାନାରେ ନେଇପାରିବେ ଟିକା

ଆଜିଠୁ କଟକରେ ଲୋକେ କରୋନାର ବୁଷ୍ଟର୍‌ ଡୋଜ୍‌ ନେଇପାରିବେ । ତେବେ ସରକାରୀ ଡାକ୍ତରଖାନାରେ ଏହା ଉପଲବ୍ଧ ହେବ ନାହିଁ । ଘରୋଇ ଡାକ୍ତରଖାନାକୁ ଯାଇ ଲୋକେ ଟିକାର ବୁଷ୍ଟର୍‌ ଡୋଜ୍‌ ଗ୍ରହଣ କରିପାରିବେ । ଏ ନେଇ ୭ଟି ଘରୋଇ ଡାକ୍ତରଖାନାକୁ ଅନୁମତି ଦିଆଯାଇଛି । ୧୮ବର୍ଷରୁ ଉଦ୍ଧ୍ୱର୍ ଯେ କୌଣସି ବ୍ୟକ୍ତି କରୋନା ଦ୍ୱିତୀୟ ଡୋଜ୍‌ ନେବାର ୯୦ ଦିନ ପରେ ସ୍ଲଟ୍‌ ବୁକ୍‌ କରି ବୁଷ୍ଟର୍‌ ଡୋଜ୍‌ ନେଇପାରିବେ ବୋଲି ସୂଚନା ରହିଛି । ସମ୍ଭାବ୍ୟ କରୋନାର ନୂଆ ଭାରିଆଣ୍ଟ୍‌କୁ ପ୍ରତିହତ କରିବାକୁ ଏହି ବୁଷ୍ଟର୍‌ ଡୋଜ୍‌ ବେଶ୍‌ ସହାୟକ ହେବ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

କରୋନାର ପ୍ରଭାବ ସମ୍ପୂର୍ଣ୍ଣ ମୂଳପୋଛ ହୋଇନାହିଁ । ଜୁନ୍‌ ଓ ଜୁଲାଇ ଦୁଇ ମାସ ପାଇଁ ସତର୍କ ସୂଚନା ଦିଆଯାଉଛି । କାରଣ ଗତ ଦୁଇବର୍ଷ ଭିତରେ କରୋନାର ତିନୋଟି ଲହର ଏହି ଦୁଇ ମାସରେ କାୟା ବିସ୍ତାର କରିଥିବା ରେକର୍ଡ କହୁଛି । ତେଣୁ ଆଗକୁ ବିପଦ ନାହିଁ ବୋଲି ଭାବିବା ନିଶ୍ଚିତ ମୁର୍ଖାମୀ । ତେବେ ଏ କ୍ଷେତ୍ରରେ କରୋନା ଟିକାକୁ ଅଧିକ ଗୁରୁତ୍ୱ ଦେବା ସହିତ ସତର୍କତା ଅବଲମ୍ବନ କରିବା ଉଚିତ୍‌ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି । ତେବେ କୋଭିଡ୍‌ ଟିକାକରଣରେ ଗ୍ରାମାଞ୍ଚଳ ପଛୁଆ ରହିଛି ।

ପ୍ରତ୍ୟେକ ବର୍ଗର ଟିକାକରଣରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ପଛୁଆ ରହିଥିବା ଦେଖାଯାଇଛି । ତେବେ ଗ୍ରାମାଞ୍ଚଳରେ ଲୋକେ ଏବେ ବି ଟିକା ନେବାକୁ ଅମଙ୍ଗ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ କହୁଛନ୍ତି । ୧୫ରୁ ୧୮ ବର୍ଷ ବୟସର ଟିକାକରଣକୁ ଦେଖିଲେ ସମଗ୍ର ଜିଲ୍ଲାରେ ପ୍ରାୟ ୫୫ ପ୍ରତିଶତ କିଶୋରଙ୍କୁ ଟିକା ଦିଆଯାଇଛି । ସେଥିରେ ଗ୍ରାମାଞ୍ଚଳରେ ଟିକାକରଣ ଏତେ ଫଳପ୍ରଦ ହୋଇନାହିଁ । ଗ୍ରାମାଞ୍ଚଳରେ ମାତ୍ର ୪୦ ପ୍ରତିଶତ ଟିକା ନେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଦ୍ୱିତୀୟ ଡୋଜ୍‌ରେ ଶତପ୍ରତିଶତ ସଫଳତା ହାସଲ କରିବା ପ୍ରଶାସନ ପାଇଁ ଚାଲେଞ୍ଜ । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଡୋର୍‌ ଟୁ ଡୋର୍‌ ସର୍ଭେ କାର୍ଯ୍ୟ କରାଯାଇଛି । ଆଶା ଓ ଅଙ୍ଗନବାଡି କର୍ମୀମାନେ ଟିକାକରଣ ପାଇଁ ସଚେତନତା ସୃଷ୍ଟି କରିଛନ୍ତି ବୋଲି କଟକ ଜିଲ୍ଲାର କରୋନା ନୋଡାଲ ଅଫିସର୍‌ ଡା. ଉମେଶ ରାୟ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ବୁଷ୍ଟର୍‌ ଡୋଜ୍‌ ଉପରେ ଏବେ ପ୍ରଶାସନ ଗୁରୁତ୍ୱ ଦେଇଛି । ଜିଲ୍ଲାର ଫ୍ରଣ୍ଟ୍‌ ଲାଇନ୍‌ କର୍ମଚାରୀଙ୍କୁ ବୁଷ୍ଟର୍‌ ଦିଆଯାଉଛି । ଆସନ୍ତାକାଲିଠାରୁ ସର୍ବସାଧାରଣ ଏହି ବୁଷ୍ଟର୍‌ ନେଇପାରିବେ । ଘରୋଇ ହସ୍‌ପିଟାଲରେ ଦେୟଯୁକ୍ତ ଟିକା ଉପଲବ୍ଧ ହୋଇଛି । ସାହାରା ନର୍ସିଂ ହୋମ୍‌, ସୃଷ୍ଟି ହସ୍‌ପିଟାଲ, ଉର୍ମିଳା ନର୍ସିଂହୋମ୍‌, ନ୍ୟୁ ଉର୍ମିଳା ନର୍ସିଂହୋମ୍‌, ସଦ୍‌ଗୁରୁ ହସ୍‌ପିଟାଲ, ମୁନ୍‌ ହସ୍‌ପିଟାଲ ଓ ଅଶ୍ୱିନୀ ହସ୍‌ପିଟାଲରେ ସାଧାରଣ ଲୋକେ ଦେୟଯୁକ୍ତ ବୁଷ୍ଟର୍‌ ନେଇପାରିବେ । ତେବେ ଏନେଇ ସେମାନଙ୍କର ଦ୍ୱିତୀୟ ଟିକା ନେବାର ୯୦ ଦିନ ହୋଇଥିବା ଆବଶ୍ୟକ । ଟିକାକରଣର ସାର୍ଟିଫିକେଟ୍‌ ଦେଖାଇ ଲୋକେ ବୁଷ୍ଟର୍‌ ନେଇପାରିବେ । ଏହି ଟିକାର ପ୍ରଭାବ ୯ମାସ ପର୍ଯ୍ୟନ୍ତ ରହିବ ବୋଲି ଡା. ଶ୍ରୀ ରାୟ ପ୍ରକାଶ କରିଛନ୍ତି ।