Odia News Portal

ଦିଲ୍ଲୀରେ ବସିବ ବ୍ରିକ୍ସର ମହାବୈଠକ

ଶନିବାରଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆରମ୍ଭ ହେବ ବହୁପ୍ରତୀକ୍ଷିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ଦୁଇଦିନିଆ ଏହି ସମ୍ମିଳନୀରେ ବିଶ୍ୱ ଅର୍ଥନୀତି, ବହୁପାକ୍ଷିକତା ଏବଂ ବିଶ୍ୱ ପ୍ରଶାସନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ବ୍ରିକ୍ସର ୧୧ଟି ସଦସ୍ୟ ଦେଶ—ଭାରତ, ବ୍ରାଜିଲ, ଚୀନ୍‌, ରୁଷ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଏବଂ ୟୁଏଇର ପ୍ରତିନିଧିମାନେ ଏକାଠି ହେବେ। ଏହା ସହିତ ବେଲାରୁଷ, କ୍ୟୁବା, ମାଲେସିଆ ଓ ଭିଏତନାମ ସମେତ ସହଯୋଗୀ ଦେଶଗୁଡ଼ିକ ମଧ୍ୟ ଏଥିରେ ଯୋଗଦେବେ। ବିଶ୍ୱ ମଞ୍ଚରେ ବ୍ରିକ୍ସର ପ୍ରଭାବ କେତେ ବଡ଼, ତାହା ଏହାର ସଦସ୍ୟ ଦେଶଗୁଡ଼ିକର ଜନସଂଖ୍ୟା ଓ ଅର୍ଥନୈତିକ ଶକ୍ତିରୁ ସ୍ପଷ୍ଟ। ବ୍ରିକ୍ସ ଦେଶଗୁଡ଼ିକ ମିଶି ବିଶ୍ୱ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଧିକ ଏବଂ ବିଶ୍ୱ ଜିଡିପିର ଏକ ବଡ଼ ଅଂଶର ପ୍ରତିନିଧିତ୍ୱ କରୁଛନ୍ତି।

ସମ୍ମିଳନୀରେ ଯୋଗଦେବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍‌-ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ଏବଂ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ପ୍ରମୁଖ ନେତା ଦିଲ୍ଲୀରେ ପହଞ୍ଚିବେ। ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଆଲି ଏବଂ ଆବୁଧାବିର ଯୁବରାଜ ଶେଖ ଖାଲେଦ ବିନ୍‌ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନାହ୍ୟାନ ମଧ୍ୟ ସମ୍ମିଳନୀରେ ଯୋଗଦେବେ। ଅନ୍ୟପଟେ ବ୍ରାଜିଲ ଓ ସାଉଦି ଆରବ ପକ୍ଷରୁ ଉଚ୍ଚପଦସ୍ଥ ପ୍ରତିନିଧିମାନେ ସାମିଲ ହେବେ।

‘ଅନ୍ତର୍ଭୁକ୍ତୀକରଣ ବିଶ୍ୱ ପ୍ରଶାସନ ଏବଂ ବହୁପାକ୍ଷିକତାର ସୁଦୃଢ଼ୀକରଣ’ ଶୀର୍ଷକ ବୈଠକରୁ ଶନିବାର ସମ୍ମିଳନୀର ଶୁଭାରମ୍ଭ ହେବ। ଏହାପରେ ବ୍ରିକ୍ସ ନେତାମାନେ ଭାରତ ମଣ୍ଡପମରେ ଆୟୋଜିତ ‘ଭାରତ ଇନୋଭେଟ୍ସ’ ପ୍ରଦର୍ଶନୀ ପରିଦର୍ଶନ କରିବେ। ଏହା ସହିତ ମିଳିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ନୈଶଭୋଜିରେ ସାମିଲ ହେବେ ବ୍ରିକ୍ସ ନେତାମାନେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବିଶେଷକରି ରୁଷ ରାଷ୍ଟ୍ରପତି ପୁଟିନ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ତର୍ଜାତୀୟ ସ୍ତରରେ ଏହି ବୈଠକକୁ ନେଇ ବଢ଼ୁଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଏହି ବ୍ରିକ୍ସ ସମ୍ମିଳନୀ ବିଶ୍ୱ ଅର୍ଥନୀତି ଓ ଅନ୍ତର୍ଜାତୀୟ ସମ୍ପର୍କକୁ କେଉଁ ନୂଆ ଦିଗ ଦେଉଛି, ତା’ ଉପରେ ରହିଛି ସମସ୍ତଙ୍କ ନଜର।