ରାଜଧାନୀର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ (ବାଣୀ ବିହାର) କ୍ୟାମ୍ପସ୍ରେ ଚାଲିଥିଲା ନିଶା କାରବାର । କ୍ୟାମ୍ପସରେ ଥିବା ଜଙ୍ଗଲିଆ ସ୍ଥାନ ପାଲଟିଥିଲା ନିଶା କାରବାରର ହବ୍ । ଅବକାରୀ ବିଭାଗ ହଠାତ ଚଢାଉ କରି ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ଗତ ଶୁକ୍ରବାର ରାତିରେ ଏହି ଚଢ଼ାଉ ହୋଇଥିଲା । ଅଭିଯୁକ୍ତଦ୍ୱୟଙ୍କ ଠାରୁ ୧୯୫ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ।
ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଭରତପୁର ଥାନା ଅଞ୍ଚଳରେ ରହୁଥିବା ସୌରଭ କୁମାର ଟୁଡୁ (୨୪) ଓ ସହିଦନଗର ଅଞ୍ଚଳରେ ରହୁଥିବା ତାଙ୍କ ସହଯୋଗୀ ଅମନ ନାୟକ (୨୪) । ଏନେଇ ଭୁବନେଶ୍ୱର ଅବକାରୀ ରେଞ୍ଜ୍ – ୧ ଇନ୍ସପେକ୍ଟରଙ୍କ ପକ୍ଷରୁ ମାମଲା ପଞ୍ଜିକୃତ କରାଯାଇଛି । ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଗତକାଲି (ଶନିବାର) ସୂଚନା ଦିଆଯାଇଛି ।
ଅଭିଯୁକ୍ତଦ୍ୱୟ ବ୍ରାଉନସୁଗର ବିକ୍ରି କରୁଥିବା ଖବର ପାଇ ଅବକାରୀ ଦଳ ଶିକ୍ଷାନୁଷ୍ଠାନରେ ଚଢ଼ାଉ କରିଥିଲା । ଉଭୟ କ୍ୟାମ୍ପସ ଭିତର କେଦାରଶ୍ୱରୀ ମନ୍ଦିର ସମ୍ମୁଖରେ ବ୍ରାଉନସୁଗର ବିକ୍ରି କରୁଥିଲେ । ଅବକାରୀ ଟିମକୁ ଦେଖି ସେମାନେ ଖସି ଯିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ବୁଦା ଅଞ୍ଚଳରେ ଯାଇ ଲୁଚିବା ପାଇଁ ଚେଷ୍ଠା କରିଥିଲେ । ଅବକାରୀ ଟିମ୍ ଉଭୟଙ୍କୁ ପିଛା କରି କାବୁ କରି ନେଇଥିଲା ।
ଭୁବନେଶ୍ୱର ଅବକାରୀ ଜିଲ୍ଲା ଏସ୍ପି ଦେବାଶିଷ ପଟେଲ କହିଛନ୍ତି, “ବର୍ଷେ ତଳେ ସୌରଭ ବାଣୀ ବିହାର କ୍ୟାମ୍ପସରୁ ଗିରଫ ହୋଇଥିଲା । ଅବକାରୀ ବିଭାଗ ହାତରେ ଧରାପଡି ସେ ଜେଲ ଯାଇଥିଲା । ସେତେବେଳେ ତାଙ୍କ ପାଖରୁ ୧୮୦ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିଲା । ଅଭିଯୁକ୍ତ ୬ ମାସ ଜେଲରେ ରହି ଜାମିନରେ ଆସିଥିଲା । ପରେ ସେ ବାଣୀ ବିହାର କ୍ୟାମ୍ପସ ପରିସରରରେ ନିଶା କାରବାରରେ ଲିପ୍ତ ରହୁଥିଲା । ବିଶେଷ କରି ଅଣଛାତ୍ରମାନେ ଗ୍ରାହକ ସାଜୁଥିଲେ । କ୍ୟାମ୍ପସ ଭିତରେ ଥିବା ଅନ୍ଧାରିଆ ଜଙ୍ଗଲିଆ ପରିବେଶରେ ଲୁଚି ରହି କାରବାର କରୁଥିଲା । ବାଲେଶ୍ଵରରୁ ବେପାରୀଙ୍କ ଦ୍ୱାରା ବ୍ରାଉନସୁଗର ଅଣା ଯାଉଥିଲା । ସୌରଭକୁ ବ୍ରାଉନସୁଗର ଯୋଗାଉଥିବା ବାଲେଶ୍ଵର ବେପାରୀକୁ ଧରିବାକୁ ଆମେ ପ୍ରୟାସ ଜାରି ରଖିଛୁ ।”
