ରାଜଧାନୀରେ ସିରିଜ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ନେଇଥିବା କିଲର୍ କାର୍ ଚାଳକ ଆତ୍ମସମର୍ପଣ କରିଛି। କିଲର୍ କାରର ଚାଳକ ହେଲେ ଗାଙ୍ଗପୁର ଗଞ୍ଜାମ ଜିଲ୍ଲାର ଅନୀଲ ଗୌଡ଼ ଆତ୍ମସମର୍ପଣ ପରେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ। ହଠାତ୍ ତାଙ୍କର କାଶ ହେବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । କାଶ ଯୋଗୁ ନିୟନ୍ତ୍ରଣ ହରାଇ କାର୍ ଚାଳକ ଏକାଧିକ ଗାଡ଼ି ସହ ଦୁର୍ଘଟଣା କରିଥିଲେ। ବ୍ରେଥ୍ ଆନାଲାଇଜର ଟେଷ୍ଟରେ ଚାଳକ ଜଣକ ମଦ୍ୟପାନ କରି ନଥିବା ପୋଲିସ ସୂଚନା ଦେଇଛି।
ଡ୍ରାଇଭରଙ୍କୁ ଲଗାତାର କାଶ ହେବାରୁ ଅଜାଣତରେ ଗାଡି ସ୍ପୀଡ଼ ଅଧିକ ହୋଇଯାଇଥିଲା । ଅଭିଯୁକ୍ତ କାଶ ପାଇଁ ମେଡିସିନ ଖାଉଥିଲା । ସେ ସମ୍ପର୍କିତ ମେଡିକାଲ କାଗଜପତ୍ର ଜବତ ହୋଇଛି । EV କାର ହୋଇଥିବାରୁ ଗାଡି ଦୃତବେଗରେ ଆସି ଧକ୍କା ଦେଇଥିଲା । ଘଟଣାରେ ଜୀବନ ହାରିଥିବା ତିନି ମୃତକ ହେଲେ ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ସନ୍ତୋଷ ବେହେରା, ସୁନ୍ଦରଗଡ଼ ର ଲଷ୍ମୀପଧର ଟପ୍ପୋ ଓ ରାଇରଙ୍ଗପୁର ଅଂଚଳର ଜେରମ ଏକ୍କା । ମୃତଦେହ ବ୍ୟବଛେଦ କରାଯାଇଛି । କେସ ରୁଜୁ ହୋଇଛି । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ସିସିଟିଭି ଆଧାରରେ ତଦନ୍ତ କୁ ବ୍ୟାପକ କରାଯାଇଛି | ଦୁର୍ଘଟଣାଗ୍ରସ୍ତ କାର୍, ଅଟୋ ଏବଂ ଦୁଇ ଚକିଆ ଗାଡ଼ିକୁ ଜବତ କରିବା ସହ ସିସିଟିଭି ଯାଞ୍ଚ୍ ଜାରି ରହିଥିବା ମୈତ୍ରୀ ବିହାର ଏସିପି ସୂଚନା ଦେଇଛନ୍ତି ।
