Odia News Portal

ଭଦ୍ରକରେ ଥମୁନି ବେଆଇନ ଗୋ ଚାଲାଣ

ଭଦ୍ରକ: ଭଦ୍ରକରେ ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ | ବାରମ୍ବାର ଭଦ୍ରକରେ ଧରା ପଡ଼ୁଛି ବେଆଇନ ଗୋରୁ ଚାଲାଣ | ଯାହାକୁ ନେଇ ବଢିବାରେ ଲାଗିଛି ଜନ ଅସନ୍ତୋଷ | ଏବେ ଗୋରୁ ମାଫିଆଙ୍କ ନଜରରେ ରହିଛନ୍ତି ବୁଲା ଷଣ୍ଢ | ଗତକାଲି ପୁଣି ବେଆଇନ ଗୋ ଚାଲାଣ ନେଇ ସହର ଭିତରେ ଉପୁଜି ଥିଲା ଉତ୍ତେଜନାମୟ ପରିସ୍ଥିତି | ଡାକ ପାର୍ଶଲ ଲେଖା ହୋଇଥିବା ଏକ କଣ୍ଟେନରରେ ଭିତରେ ବୋଝେଇ ହୋଇଥିଲେ ଷଣ୍ଢ ଏବଂ ଗାଈ | ଏମିତି ଏକ କଣ୍ଟେନରରେ ଗୋରୁ ଚାଲାଣ ସମୟରେ ତାହାକୁ ଗତ ରାତିରେ ଜବତ କରିଥିଲେ କିଛି ସ୍ଥାନୀୟ ଯୁବକ। ଏଥିସହ ପୋଲିସର ନିଷ୍କ୍ରିୟତାରୁ ବାରମ୍ବାର ଏପରି ଘଟଣା ଘଟୁଥିବା ଅଭିଯୋଗ କରି ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରାସ୍ତାରୋକ ମଧ୍ୟ କରିଥିଲେ |

ସୂଚନାନୁଯାୟୀ, ଗତ ରାତିରେ ଭଦ୍ରକ ସହରର ବାଇପାସ ନିକଟରେ ଏକ ଡାକ ପାର୍ସଲ ଗାଡିରେ ୯ଟି ଷଣ୍ଢ ଓ ୩ଟି ଗୋରୁ ଚାଲାଣ କରାଯାଉଥିଲା। ସନ୍ଦେହ ହେବାରୁ ସ୍ଥାନୀୟ ଯୁବକ ଗାଡ଼ିକୁ ଅଟକାଇ ତା’ ଭିତରୁ ଗୋରୁମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଘଟଣାସ୍ଥଳରୁ ଡ୍ରାଇଭର,ହେଲପର ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ‌ ପହଞ୍ଚି କଣ୍ଟେନରକୁ ଜବତ କରି ଗୋଶାଳାକୁ ପଠାଇଥିଲା ।

ଷଣ୍ଢ, ଗୋରୁଗୁଡିକ ବେଆଇନ ଭାବେ ଚାଲାଣ ହେଉଥିବାରୁ ଉତ୍ତ୍ୟକ୍ତ ଲୋକେ ବସଷ୍ଟାଣ୍ଡ ନିକଟରେ ରାତି ପ୍ରାୟ ୮ଟା୩୦ରେ ଧାରଣା ଦେଇଥିଲେ | ଏହାପରେ ରାତି ପ୍ରାୟ ୧୧ଟା ବେଳେ ଭଦ୍ରକ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଏପରି ଗୋରୁ ଚାଲାଣ ଉପରେ ନଜର ରଖାଯିବା ସହ, ଅଭିଯୁକ୍ତଙ୍କ ବିରୋଧରେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନରୁ ହଟିଥିଲେ।