ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ; ସାର ଚୋରା ଚାଲାଣ ଓ କଳାବଜାରୀ ପ୍ରମାଣ ମିଳିଲେ ଲାଇସେନ୍ସ ବାତିଲ୍
ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ସାର ଚୋରା ଚାଲାଣକୁ ରୋକ । କଳାବଜାରୀ ପ୍ରମାଣ ମିଳିଲେ ଲାଇସେନ୍ ସ ବାତିଲ୍ କର । ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକ କରିଛନ୍ତି । ପ୍ରତ୍ୟେକ ଚାଷୀ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୭ଟି ନିର୍ଦ୍ଦେଶ ରହିଛି । କଳାବଜାରୀ ଓ ସାର ମହଜୁଦକାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ଗୋଦାମକୁ ଜିଲ୍ଲାପାଳମାନେ ହଠାତ ପରିଦର୍ଶନରେ ଯାଇ ଯାଞ୍ଚ କରନ୍ତୁ । ବେନିୟମ ସାର ମହଜୁଦକାରୀଙ୍କ ବିରୋଧରେ FIR କରି ସେମାନଙ୍କ ଲାଇସେନ୍ସ ବାତିଲ କରିବାକୁ କହିଛନ୍ତି ।
ସେହିପରି ପଡ଼ୋଶୀ ରାଜ୍ୟକୁ ଯେପରି ସାର ଚୋରାଚାଲଣ ନହୁଏ ସେଥିପାଇଁ ପୋଲିସ ଓ କୃଷି ବିଭାଗ ମିଳିତ ଭାବେ ସୀମାନ୍ତ ଅଞ୍ଚଳର ଚେକପୋଷ୍ଟ ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଶିଳ୍ପ କ୍ଷେତ୍ରରେ ରେଜିନ୍, ପ୍ଲାଇଉଡ କିମ୍ବା ପଶୁଖାଦ୍ୟ ଶିଳ୍ପକୁ ଚାଷ ପାଇଁ ଉଦ୍ଦିଷ୍ଟ ସବସିଡ୍ ଯୁକ୍ତ ୟୁରିଆ ଚୋରାଚାଲଣ ହେବାର ଆଶଙ୍କା ଥାଏ । ତେଣୁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗୁଡିକ ଏହାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚାୟତ ସ୍ତରରେ ସାରର ଉପଲବ୍ଧତା ଓ ଯୋଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ନିରୀକ୍ଷଣ ସମିତି ଗଠନ କରାଯାଉଛି। ଚାଷୀମାନେ ଯେପରି ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଠିକ୍ ଭାବେ ପାଇପାରିବେ ସେଥିପାଇଁ ଚାଷୀମାନଙ୍କର ଡିଜିଟାଲ ପଞ୍ଜୀକରଣ କରାଯାଉଛି । ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
