ଶିକାରୀ ଗୁଳିରେ ଦଶମ ଶ୍ରେଣୀ ଛାତ୍ର ମୃତ, ଅଭିଯୁକ୍ତ ଫେରାର୍ By Swadhikar News Last updated Apr 19, 2026 କନ୍ଧମାଳଜିଲ୍ଲା ଟିକାବାଲି ଥାନା ଓ ଚକାପାଦ ବ୍ଲକ୍ ଲାଇନପଡ଼ା ନିକଟ ବୁଡ଼େଣି ଗ୍ରାମରେ ଗତକାଲି ରାତିରେ ଶିକାରୀର ଗୁଳିରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ, ମାଧବ କହଁରଙ୍କ ପୁଅ ବିଭୂତି କହଁର (୧୫)। ଶିକାର କରିବାକୁ ଶିକାରୀ ତାଙ୍କୁ ସାଙ୍ଗରେ ନେଇ ଯାଇଥିବା ବେଳେ ଭୁଲ୍ବଶତଃ ଗୁଳି ଫୁଟିଯିବା ଫଳରେ ବିଭୂତିଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ବିଭୂତି ଖଜୁରୀପଡ଼ା ବ୍ଲକ୍ ରଣପାଟୁଳି ଉଚ୍ଚବିଦ୍ୟାଳୟର ହଷ୍ଟେଲ୍ରେ ରହି ପାଠ ପଢ଼ୁଥିବା ବେଳେ ଏଥର ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ। ସୂଚନାନୁସାରେ, ପ୍ରତାପ କହଁର (୨୮) ଓ ସୁମନ ବିନ୍ଧାଣୀ ଗତକାଲି ରାତି ୯ଟାରେ ସ୍ଥାନୀୟ ମଣିଆଡ଼ାମି ଜଙ୍ଗଲକୁ ବନ୍ୟଜନ୍ତୁ ଶିକାର କରିବାକୁ ବାହାରିଥିଲେ। ବିଭୂତିଙ୍କୁ ଡାକି ସାଙ୍ଗରେ ନେଇଥିଲେ। ପ୍ରତାପ ଗ୍ରାମର ବରୁଣ କହଁରଙ୍କ ଠାରୁ ଦେଶୀବନ୍ଧୁକ ଭଡ଼ାରେ ମାଗି ନେଇଥିବା ବେଳେ ସୁମନ ନିଜର ଦେଶୀବନ୍ଧୁକ ଓ ଟାଙ୍ଗିଆ ଧରି ବାହାରିଥିଲେ।ରାତି ପ୍ରାୟ ସାଢ଼େ ୧୦ଟାରେ ଦୁଇଟି ଦେଶୀ ବନ୍ଧୁକରୁ ଗୁଳି ଫୁଟିଥିଲା। କିନ୍ତୁ ପ୍ରତାପର ବନ୍ଧୁକରୁ ଫୁଟିଥିବା ଗୁଳି ବିଭୂତିଙ୍କ ଡାହାଣ ଆଖି ପାଖରେ ବାଜି ପଛପଟକୁ ବାହାରିଯାଇଥିଲା। ଘଟଣାସ୍ଥଳରେ ହିଁ ବିଭୂତି ଟଳିପଡ଼ିଥିବା ବେଳେ ପ୍ରତାପ ଓ ସୁମନ ଗାଁକୁ ଫେରି ଆସିଥିଲେ। ପ୍ରତାପ ସଙ୍ଗେ ସଙ୍ଗେ ବରୁଣଙ୍କୁ ବନ୍ଧୁକ ଫେରାଇବା ସହ ଗୁଳି ଫୁଟି ବିଭୂତିଙ୍କ ମୃତ୍ୟୁ ହୋଇଥିବା କହି ଫେରାର ହୋଇଯାଇଥିଲା। ସେପଟେ ସୁମନ ନିଜ ଘରେ ଘଟଣା ବିଷୟରେ ଜଣାଇବା ମୃତକ ବିଭୂତିଙ୍କ ପରିବାରକୁ ବି ଅବଗତ କରିଥିଲେ। ରାତାରାତି ପରିବାରଲୋକ ଜଙ୍ଗଲକୁ ଯାଇ ବିଭୂତିଙ୍କ ଶବକୁ ଠାବ କରିଥିଲେ। ଆଜି ସକାଳେ ବାପା ମାଧବ ଏନେଇ ଟିକାବାଲି ପୁଲିସକୁ ସୂଚନା ଦେବା ପରେ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କେସ୍ ନମ୍ବର ୮୬/୨୬ରେ ମାମଲା ରୁଜୁ ସହ ଦୁଇଟି ବିନା ଲାଇସେନ୍ସ୍ ଦେଶୀବନ୍ଧୁକ ଓ ଟାଙ୍ଗିଆ ଆଦି ଜବତ ହୋଇଥିବା ଥାନାଧିକାରୀ ସମୀର କୁମାର ବେହେରା ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ପ୍ରତାପ ଫେରାର ହୋଇଯାଇଥିବା ବେଳେ ବୌଦ୍ଧରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି। ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଏକମାତ୍ର ପୁଅକୁ ହରାଇ ମାଧବ ଭାଙ୍ଗିପଡ଼ିଛନ୍ତି। swadhikarswadhikar news Share