Odia News Portal

ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡମ୍ୟାପ୍, ଶକ୍ତିଶ୍ରୀ Appର ଶୁଭାରମ୍ଭ

ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତି 2020 (NEP 2020) କାର୍ଯ୍ୟାନ୍ୱୟନ ଉପରେ ଏକ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଆରମ୍ଭ କରିଛନ୍ତି । ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେବାସହ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ (Knowledge Hub) ଭାବେ ଗଢ଼ିତୋଳିବାକୁ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ବଳିଷ୍ଠ ପଦକ୍ଷେପ ‘ଶକ୍ତିଶ୍ରୀ’ ଆପ୍‌ର ଶୁଭାରମ୍ଭ କରାଯାଇଛି ।କନଭେନସନ ସେଣ୍ଟରରେ NEP କାର୍ଯ୍ୟାନ୍ୱୟନ ଉପରେ ଜାତୀୟ ସ୍ତରୀୟ କର୍ମଶାଳାରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଜାତୀୟ ଶିକ୍ଷା ନୀତି କେବଳ ଏକ ସରକାରୀ ଦସ୍ତାବିଜ୍ ନୁହେଁ, ବରଂ ଏହା ଭାରତକୁ ବିଶ୍ୱର ‘ନଲେଜ୍ କ୍ୟାପିଟାଲ୍’ ଭାବେ ପ୍ରତିଷ୍ଠିତ କରିବାର ଏକ ମହତ୍ ମିଶନ । ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ପ୍ରଗତିର ମୂଳଦୁଆ । ଆମ ପିଲାମାନେ ଯେପରି ‘Industry-Ready’ ହେବେ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବେ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।”