Odia News Portal

ଆସୁଛି ଆଉ ଦୁଇଟି ଲଘୁଚାପ, ଜାଣନ୍ତୁ କେବେ?

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିଥିଲା । ପାଣି ପାଣି ହୋଇଥିଲା ସାରା ଓଡ଼ିଶା । ଏଯାବତ ପାଣି କମିନଥିବା ବେଳେ ପୁଣି ଦୁଇଟି ଲଘୁଚାପ ଆସିବା ନେଇ ସୂଚନା ମିଳିଛି । ଏହାରି ଭିତରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିଲାଣି। ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଓ ସଂଲଗ୍ନ ବାଲେଶ୍ୱର ନିକଟରେ ରହିବ। ଏହା ବର୍ତମାନର ଲଘୁଚାପ ବଳୟ ଓ ମୌସୁମୀ ଟ୍ରଫ୍ର ପୂର୍ବ ଭାଗରେ ମିଶିବା ପରେ ସୁନ୍ଦରଗଡ ଦେଇ ମଧ୍ୟପ୍ରଦେଶ ଆଡକୁ ମୁହାଁଇବ ବୋଲି କୁହାଯାଇଛି। ତେବେ ଏହାର ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ସେ ଆହୁରି ମଧ୍ୟ ଆକଳନ କରିଛନ୍ତି ଯେ ୨୩ ତାରିଖରେ ମିଆଁମାର ନିକଟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ତେବେ ତାହାର ବିଶେଷ ପ୍ରଭାବ ରହିବ ନାହିଁ। ୨୫ ତାରିଖ ପର୍ୟ୍ୟନ୍ତ ଏହା ବଳୟରେ ହିଁ ରହିବ। ତା’ପରେ କିଭଳି ରୂପ ନେବ ସେନେଇ ବର୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ସମୁଦାୟ ବର୍ଷାର ପରିମାଣ ୫୦ରୁ ୭୦ ମିମି ହୋଇପାରେ। ସ୍ଥାନେ ସ୍ଥାନେ ୯୦ ମିମି ବର୍ଷା ହେବ। ୨୧ରୁ ୨୩ ତାରିଖ ପର୍ୟ୍ୟନ୍ତ ଉପକୂଳରେ, ୨୨ରୁ ୨୪ ତାରିଖ ଯାଏ ଦକ୍ଷିଣ ଅଭ୍ୟନ୍ତରୀଣରେ ଓ ୧୯ରୁ ୨୨ ତାରିଖ ପର୍ୟ୍ୟନ୍ତ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ୨୪ ତାରିଖରୁ ମାସ ଶେଷ ପର୍ୟ୍ୟନ୍ତ ବର୍ଷା ଆହୁରି କମିବ।