Odia News Portal

କହୁ କହୁ କହିଦେଲା କ୍ରାଇମ୍ ଷ୍ଟୋରି ….

ଭୁବନେଶ୍ୱର: ୬ ମାସ ତଳର ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାଶ । କହୁ କହୁ ସାଥି ଅନ୍ତେବାସୀଙ୍କ ନିକଟରେ ସତ କହିଦେଇଥିଲା ଅଭିଯୁକ୍ତ । ଜେଲର ଚାରିକାନ୍ଥ ଭିତରେ ନିଜ କଳା କାରନାମାର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ତୁଳସୀ ଦେଈ ହତ୍ୟାକାଣ୍ଡର ଅଭିଯୁକ୍ତ ।ପ୍ରେମିକାକୁ ଖୁସି କରିବାକୁ ଲୁଟ୍ କରି ଦେଉଥିଲା ଗିଫ୍ଟ | ଲୁଟେରା ଲଭର ନାଁ ନାରାୟଣ ମହାନ୍ତି |ଏଭଳି ଘଟଣାର ଖୁଲାସା ହେବା ପରେ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ ।ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ସାଗର ପ୍ରଧାନକୁ ଆଜି ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ସାଗରକୁ ପଚରାଉଚରା ବେଳେ ନୟାପଲ୍ଲୀ ତୁଳସୀଦେଈଙ୍କୁ ଆକ୍ରମଣ କରି ସୁନା ଚେନ୍ ଲୁଟ୍ କରିଥିବା ସତ ପୋଲିସ ଆଗରେ ଓଗାଳିଥିଲା ଅଭିଯୁକ୍ତର ସହଯୋଗୀ । ତେବେ ଅଭିଯୁକ୍ତ ନାରାୟଣ ନାଁରେ କମିଶନରେଟ ପୋଲିସରେ ୨୫ ରୁ ଅଧିକ ଅପରାଧିକ ମାମଲା ରହିଛି ।

ସୂଚନାନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀର ତୁଳସୀ ଦେଈ ନାମକ ଜଣେ ମହିଳା ଘରେ ଏକାକୀ ଥିବା ସମୟରେ ଦୁର୍ବୃତ୍ତ ଘରଭଡ଼ା ବାହାନାରେ ବୃଦ୍ଧାଙ୍କ ନିକଟକୁ ଆସି ୧୦ ଭରିର ସୁନା ଚେନ ଓ କାନ ଫୁଲ ଲୁଟ୍ କରିଥିଲେ । ଲୁଟ୍‌ପାଟ୍‌ ବେଳେ ଦୁର୍ବୃତ୍ତମାନେ ମହିଳାଙ୍କୁ ମାଡ଼ ମାରିବା ସହ ତାଙ୍କର କାନ ମଧ୍ୟ କାଟି ଦେଇଥିଲେ। ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତୁଳସୀ ଦେଈଙ୍କ ମୃତ୍ୟୁ ହୋଇଥିଲା । ତେବେ ଲୁଟ୍ ସୁନା ଜବତ କରିବାକୁ ପ୍ରକ୍ରିୟା ଆରମ୍ଭ କରିବ କମିଶନରେଟ ପୋଲିସ । ଅନ୍ୟପକ୍ଷରେ ଏଭଳି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ କହିଛନ୍ତି ଲୁଟର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ତୁଳସୀ ଦେଈଙ୍କ ସ୍ୱାମୀ ।