Odia News Portal

ରାଜଧାନୀରେ ମାରିଲେ, ଗଞ୍ଜାମରେ ଫିଙ୍ଗିଲେ

ଗଞ୍ଜାମ: ବାଲେଶ୍ୱରର ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ମର୍ଡ଼ର କରାଯାଇଥିଲା । ଆଉ ତା’ପରେ ପ୍ରମାଣ ଲୋଚାଇବାକୁ ଯାଇ ଓଲା କାର୍‌ରେ ମୃତଦେହକୁ ନେଇ ଗଞ୍ଜାମ ଜିଲ୍ଲା ଭୂଷଣ୍ଡପାଳରେ ଫିଙ୍ଗି ଦିଆଯାଇଥିଲା । ଆଜି ଏହି ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଗଞ୍ଜାମ ପୋଲିସ ହତ୍ୟା ଅଭିଯୋଗରେ ହତ୍ୟାକାରୀ ଦମ୍ପତିଙ୍କୁ ଗିରଫ କରିବା ସହିତ ମୃତଦେହ ଫୋପାଡ଼ିବା ପାଇଁ ବ୍ୟବହାର କରାଯାଇଥିବା ଓଲା କାର୍‌ ଜବତ କରିଛି।

ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରରେ ଜଣଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ। ସେଠାରେ ରହିଣୀ ସମୟରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ତେବେ ଯୁବତୀ ଜଣକ ଅଧିକ କାମ କରିପାରୁ ନଥିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଦମ୍ପତି। ଫଳରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ହତ୍ୟାକାରୀ ଦମ୍ପତି ହତ୍ୟାକାଣ୍ଡ ପ୍ରମାଣ ନଷ୍ଟ କରିବା ପାଇଁ ଏକ ଓଲା କାର୍‌ରେ ଯୁବତୀଙ୍କ ମୃତଦେହକୁ ନେଇ ଭୂଷଣ୍ଡପାଳ ନିକଟରେ ଫିଙ୍ଗି ଦେଇଥିଲେ।

ତେବେ ଡିସେମ୍ବର ୨ ତାରିଖରେ ଭୂଷଣ୍ଡପାଳରୁ ଯୁବତୀଙ୍କ ମୃତଦେହକୁ ଜଗନ୍ନାଥପ୍ରସାଦ ଥାନା ପୋଲିସ ଜବତ କରିଥିଲା। ହେଲେ ତାଙ୍କ ପରିଚୟ ମିଳିପାରୁନଥିଲା। ତେବେ ମୃତଦେହ ପାଖରୁ ମିଳିଥିବା ଫୋନ୍‌ ନମ୍ୱରକୁ ନେଇ ପୋଲିସ ଛାନଭିନ୍‌ ଆରମ୍ଭ କରିଥିଲା। ମାତ୍ର ସେଥିରୁ କୌଣସି ଟେର ପାଇ ପାରିନଥିଲା ପୋଲିସ । ପରେ ପୋଲିସ ମୃତ ଯୁବତୀଙ୍କ ଫଟୋକୁ ବିଭିନ୍ନ ଥାନା ଓ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ସେୟାର କରିଥିଲା । ଫଟୋ ଦେଖି ଜଣେ ବ୍ୟକ୍ତି ଯୁବତୀଙ୍କୁ ଚିହ୍ନିଥିଲେ। ମୃତ ଯୁବତୀଙ୍କ ଘର ବାଲେଶ୍ୱର ଜିଲ୍ଲାର ବୋଲି ପୋଲିସ ଜାଣିବାକୁ ପାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ଆଧାରରେ ପୋଲିସ ଭୁବନେଶ୍ୱରରେ ରହୁଥିବା ଦମ୍ପତିଙ୍କୁ ଅଟକ ରଖି ଜେରା କରିଥିଲା। ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ତେବେ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ପୋଲିସ ତଦନ୍ତ ଚଳାଇଛି ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି।