Odia News Portal

ନିର୍ବିଘ୍ନରେ ଚାଲିଛି କାଳିଆ ଦର୍ଶନ

ପୁରୀ: ଆଜିଠୁ ନିର୍ବିଘ୍ନରେ କାଳିଆ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ ।ତେବେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଉ ଭକ୍ତଙ୍କୁ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଏ ନେଇ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଥିବାବେଳେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ନିମନ୍ତେ ୨୬ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଅତିରିକ୍ତ ଏସପି, ୭ ଡିଏସପି, ସମସ୍ତ ଥାନାର ଅଧିକାରୀ ନିୟୋଜିତ ହୋଇଛନ୍ତି ।

ଧାଡ଼ି ଦର୍ଶନ ପାଇଁ ବଡ଼ଦାଣ୍ଡରେ ମାର୍କେଟ୍ ଛକରୁ ବାରିକେଡ୍ କରାଯାଇଛି। ସିଂହଦ୍ବାରରେ ଥର୍ମାଲ୍ ସ୍କାନିଂ, ସାନିଟାଇଜର ଆଦିର ବ୍ୟବସ୍ଥା କରାଯାଇଛି। ଥର୍ମାଲ ସ୍କ୍ରିନିଂ ବେଳେ କୌଣସି ଭକ୍ତଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀ ଉପରକୁ ରହିବ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ ।

ପୁରୀବାସୀଙ୍କ ପାଇଁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଥିବା ବେଳେ ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି ।ପ୍ରାଥମିକ ପର୍ଯ୍ୟାୟରେ ଦୈନିକ ୩୦ ହଜାର ଭକ୍ତଙ୍କ ପାଇଁ ଦର୍ଶନ କରାଇବା ବ୍ୟବସ୍ଥା କରାଯାଇଛି। ସେହିଭଳି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।