Odia News Portal

୨୧ରୁ ହଟିବ କୋଭିଡ ରିପୋର୍ଟ କଟକଣା

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ କୋହଳ ହେଲା କଟକଣା। ଆସନ୍ତା ୨୧ରୁ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ । ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ହେବନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ବିନା କୋଭିଡ ନେଗେଟିଭ୍ ରିପୋର୍ଟରେ କାଳିଆ ସାଆନ୍ତଙ୍କ ଦର୍ଶନ କରିପାରିବେ ଶ୍ରର୍ଦ୍ଧାଳୁ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ନୀତି ନିୟମ ନିର୍ଦ୍ଧାରଣ ହୋଇଛି। ବୟସ୍କ ବ୍ୟକ୍ତିଙ୍କ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯିବ। ଏଥିସହ ସକାଳ ୭ରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ଦୈନିକ ୩୦ ହଜାର ଭକ୍ତିଙ୍କୁ ମିଳିବ ଦର୍ଶନ ଅନୁମତି ।

ତେବେ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ ସୁବିଧା ପାଇବେ । ୭ଟା ପରେ ସାଧାରଣ ଦର୍ଶନ ଆରମ୍ଭ ହେବ । ଅନ୍ୟ ସମୟରେ ପୁରୀ ସହରବାସୀ ଚାହିଁଲେ ଧାଡିରେ ଆସି ଦର୍ଶନ କରିପାରିବେ। ଏ ସମସ୍ତ ନିୟମ ଜାନୁଆରୀ ୨୧ରୁ ଫେବ୍ରୁଆରୀ ୨୧ ଯାଏଁ ଲାଗୁ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।ସେହିଭଳି ଅଧିକ ରୁ ଅଧିକ ଭକ୍ତଙ୍କ ଗହଳିକୁ ଏଡ଼ାଇବା ପାଇଁ ଦରକାର ପଡ଼ିଲେ ବ୍ୟାରିକେଡର ବ୍ୟବସ୍ଥା କରାଯିବ । ସପ୍ତାହରେ ଥରେ ଗୋଟିଏ ଦିନ ପାଇଁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ । ଅଧିକ ମାତ୍ରାରେ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ନେଇ ଜିଲ୍ଲାପାଳ ନେବେ ନିଷ୍ପତ୍ତି ।