Odia News Portal

ଦେଶରେ କରୋନା ବିରୁଦ୍ଧରେ ମହାଯୁଦ୍ଧ

ଭୁବନେଶ୍ବର: ଆଜିଠାରୁ ଦେଶରେ ଆରମ୍ଭ ହେବ ଟିକାକରଣ । କୋଭିଡ୍ ବିରୁଦ୍ଧରେ ଆରମ୍ଭ ହେବା ମହାଯୁଦ୍ଧ। ଆଜି ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ଟିକାକରଣ। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ସାଢେ ୧୦ଟାରେ ଦେଶର ୩ ହଜାର ୬ଟି କେନ୍ଦ୍ରରେ କରୋନା ଟିକା ଦିଆଯିବ। ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ଶହେ ଜଣଙ୍କୁ ଟିକା ଦିଆଯିବ।

ସେହିପରି ଟିକାକରଣ ପାଇଁ ଓଡ଼ିଶା ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଟିକାକରଣ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।ରାଜ୍ୟରେ ୧୬୧ ଟି ଟିକାକରଣ କେନ୍ଦ୍ର କରାଯାଇଛି। ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀର ୬ଟି ସ୍ଥାନରେ ଟିକା ଦିଆଯିବ । ପୂର୍ବରୁ ଭୁବନେଶ୍ବରରେ ୫ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲ ସାମିଲ କରାଯାଇଛି । ରାଜ୍ୟକୁ କୋଭିସିଲ୍ଡର ୪ ଲକ୍ଷ ୮ହଜାର ଡୋଜ୍ ଆସିଥିବା ବେଳେ ୨୦ ହଜାର କୋଭାକ୍ସିନର ଡୋଜ୍ ଆସିଛି । ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ କୋଭାକ୍ସିନ୍ ଟିକା ଦିଆଯିବା । ଅନ୍ୟ ସମସ୍ତ ୩୦ଟି ଜିଲ୍ଲାରେ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯିବ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ମୋଟ ୨୬ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ପଞ୍ଜିକୃତ କରାଯାଇଛି। ସେଥିମଧ୍ୟରୁ ୯ ହଜାର ଲୋକଙ୍କୁ ଟିକାଦାନ କରାଯିବ। ପୁଣି ୨୮ ଦିନ ପରେ ସେମାନଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ। ଟିକାକରଣ ସଂପର୍କରେ ଆଜି ଦିନ ୧୨ଟାରେ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ । ଟିକାକରଣ ବାବଦରେ ସ୍ବାସ୍ଥ୍ୟକର୍ମୀଙ୍କୁ ପଚାରି ବୁଝିବେ ।

ସେହିଭଳି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମକୁ କୋ-ୱିନ୍ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସଞ୍ଚାଳିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧ କୋଟି ସ୍ବାସ୍ଥ୍ୟକର୍ମୀ ଓ ୨ କୋଟି ଫ୍ରଣ୍ଟଲାଇନ୍ କୋଭିଡ ୱାରିଅରଙ୍କୁ କରୋନା ଭାକସିନ୍ ଦିଆଯିବ । ଏହା ପୂର୍ବରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକା ପହଞ୍ଚିସାରିଛି। କେମିତି ଟିକା ଦିଆଯିବ ସେନେଇ ଦେଶରେ ୩ଟି ପର୍ଯାୟରେ ଡ୍ରାଏ ରନ ସରିଛି । ଟିକାକରଣ କାର୍ଯ୍ୟକ୍ରମର ତଦାରକ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି।