Odia News Portal

ଟିକାଯୋଗାଣ ନେଇ ରାଜ୍ୟକୁ କେନ୍ଦ୍ରର ଜବାବ୍

ଭୁବନେଶ୍ଵର: ଟିକାଯୋଗାଣକୁ ନେଇ ପାତର ଅନ୍ତର ଅଭିଯୋଗ ପରେ କେନ୍ଦ୍ରର ଜବାବ୍ । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ, ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ଭିତରେ ପାତର ଅନ୍ତର କରାନଯାଉ । ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ପ୍ରଦାନ କରାଯାଉ, ଫଳରେ ରାଜ୍ୟ ସରକାର ଆଗୁଆ ୧୫ ଦିନ ପାଇଁ ଯୋଜନା କରିବେ ।

ତେବେ ଏହାର ଜବାବରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଷ ଭୂଷଣ, ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ତଥ୍ୟ ସହ ଚିଠି ଲେଖି ଏହି ପାତର ଅନ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ ୩୪ ଲକ୍ଷ ୪୬ ହଜାର ୭୬୦ ଡୋଜ୍ ଟିକା ଦିଆଯାଇଛି । ଏହାମଧ୍ୟରୁ ୨୧ ଲକ୍ଷ ୬୭ ହଜାର ୯୫୬ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ଦିଆସରିଛି । ଏହାର ଅର୍ଥ ରାଜ୍ୟ ସରକାର ୨୨ ଲକ୍ଷ ୯୭ ହଜାର ୪୩୧ ଡୋଜ୍ ଟିକା ବ୍ୟବହାର କରିଛନ୍ତି ଏବଂ ସ୍ୱାସ୍ଥ୍ୟ ବିଭାଗ ପାଖରେ ୧୧ ଲକ୍ଷ ୪୯ ହଜାର ୩୨୯ ଡୋଜ୍ ଟିକା ମହଜୁଦ ରହିଛି |

ଗତ ୩ ଦିନରେ ଓଡିଶାରେ ୨ ଲକ୍ଷ ୭ ହଜାର ୨୨୯ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି । ଏହାର ଅର୍ଥ ଦୈନିକ ପ୍ରାୟ ୬୯ ହଜାର ୭୬ ଜଣଙ୍କୁ ଟିକା ଦିଆଯାଉଛି । ଟିକା ସ୍ଥିତିର ସମୀକ୍ଷା କରିବା ସହ ଓଡିଶାକୁ ଆଉ ୫ ଲକ୍ଷ ୪୮ ହଜାର ୨୫୦ ଡୋଜ୍ ପଠାଯାଉଛି | ଯାହା ୨୮ ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ ଆସି ପହଞ୍ଚିଯିବ । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁ ଯୁକ୍ତିକୁ ଓଡିଶା ସରକାର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି ତାହା ଯୁକ୍ତିସଙ୍ଗତ ନୁହେଁ ତଥା ଟିକାବଣ୍ଟନରେ କୈାଣସି ଅନିୟମିତତା ବା ପାତରଅନ୍ତର ହେଉନାହିଁ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି ।