Odia News Portal

ବିଜୁ ଜୟନ୍ତୀରେ ବିଜେଡି ପକ୍ଷରୁ ସାଇକେଲ ରାଲି

ଭୁବନେଶ୍ବର: ଆଜି ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟରେ ଏହାକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି ।ତେବେ ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିନକୁ ଖୁବ୍ ଉତ୍ସାହର ସହ ପାଳନ କରାଯାଉଛି ।

ଆଜି କଟକ ସ୍ଥିତ ଆନନ୍ଦ ଭବନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଥିବା ସମୟରେ ବିଜେଡି ପକ୍ଷରୁ ସାଇକେଲ ରାଲିର ଆୟୋଜନ କରାଯାଇଛି । କଟକ ଆନନ୍ଦ ଭବନ ନିକଟରୁ ଭୁବନେଶ୍ୱର ଅଭିମୁଖେ ସାଇକେଲ୍ ରାଲି ବାହାରି ସାରିଛି । ଏହି ରାଲି ଭୁବନେଶ୍ୱର ବିମାନ ବନ୍ଦର ଯାଏଁ ଆସିବ । ଏଥିରେ ହଜାର ହଜାର ସଂଖ୍ୟକ ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ବହୁ ବରିଷ୍ଠ ନେତା ଏହାର ନେତୃତ୍ୱ ନେଉଥିବା ବେଳେ ଯୁବ ବିଜେଡି, ଛାତ୍ର ବିଜେଡିର ଶହଶହ କର୍ମୀ ସାମିଲ ହୋଇଛନ୍ତି ।

ତେବେ ଏହି ସାଇକେଲ୍ ରାଲି କାର୍ଯ୍ୟକ୍ରମରେ କଟକରୁ ସାଇକେଲରେ ବାହାରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ. ଯୁବ ବିଜେଡି ସଭାପତି ବ୍ୟମୋକେଶ ରାୟ, ବିଜେଡି ନେତା ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରମୁଖ ଏହି ସାଇକେଲ ରାଲିର ନେତୃତ୍ୱ ନେଉଛନ୍ତି । ବିଜୁ ବାବୁ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସବ ବୋଲି ନେତାମାନେ କହିଛନ୍ତି । ପ୍ରବାଦ ପୁରୁଷ ତାଙ୍କ ଜୀବନରେ କରିଥିବା କାର୍ଯ୍ୟକ୍ରମ ଆଜିର ଯୁବ ପୀଢିଙ୍କୁ ଆଗକୁ ବଢିବାକୁ ସାହାସ ଯୋଗାଏ ବୋଲି କହିଛନ୍ତି ବିଜୁ ଜନତା ଦଳର ନେତା ଓ କର୍ମୀ ।୧୯୩୨ ମସିହାରେ କଟକରୁ ପେଶାଓ୍ବାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ । ସେହି ମୁହୂର୍ତ୍ତକୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ବିଜୁ ଜନତା ଦଳ ଆୟୋଜନ କରିଛି ସାଇକେଲ ଶୋଭାଯାତ୍ରା । ସେପଟେ ଆଜିଠୁ ଅପ୍ରେଲ ୧୭ ତାରିଖ ଯାଏ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ସାରା ରାଜ୍ୟରେ ରକ୍ତଦାନ ଶିବିରର ଆୟୋଜନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ ।