Odia News Portal

ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର : ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମଧ୍ୟରାତ୍ର ପର୍ୟ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରୀ ରହିବ । ଏହାର ବିଶେଷ ପ୍ରଭାବ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପଡିବ ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ଦେଇଛନ୍ତି। ସନ୍ଧ୍ୟା ୬ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ପବନର ବେଗ ବଢିବ ଓ ବର୍ଷା ର ପରିମାଣ ମଧ୍ୟ ତା ସହିତ ବଢ଼ିବ । ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ । ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ପରେ ଆଜି ମଧ୍ୟରାତ୍ରି ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଏହା ଲ୍ୟାଣ୍ଡଫଲ୍ କରିବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିମି ରହିବ। ପବନର ବେଗ ବଢ଼ି ଅତିବେଶୀରେ ଘଣ୍ଟା ପ୍ରତି ୯୫ କିମି ରହିପାରେ।

ରାଜ୍ୟର ୧୧ଟି ଜିଲ୍ଲା- ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡିରେ ବାତ୍ୟା ‘ଗୁଲାବ’ର ପ୍ରଭାବ ପଡ଼ିପାରେ। ଏଥିପାଇଁ ଆଜି ଏହି ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ। ବାତ୍ୟାଯୋଗୁ ଯେପରି କାହାରି ଜୀବନହାନି ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ସେହିପରି ଏହି ସବୁ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଦିନ ସ୍ଥିତିକୁ ବିଚାର କରି ଜିଲ୍ଲାପାଳମାନେ ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ ନା ବନ୍ଦ କରାଯିବା ଉଚିତ୍, ସେ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।