Odia News Portal

ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁପାରେ ବାତ୍ୟା ମ୍ୟାଣ୍ଡ୍‌ସ୍‌, ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ବେଗରେ ବହିବ ପବନ

ବାତ୍ୟାର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ଦକ୍ଷିଣପଶ୍ଚିମ ଏବଂ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗର ଉପରେ ଥିବା ତୀବ୍ର ଅବପାତ ଆହୁରି ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡସ୍‌’ରେ ପରିଣିତ ହେବାରୁ ଭାରତୀୟ ପାଣିପାଗ ବିଭାଗ ଆଜି ସକାଳେ ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପ୍ରତି ସତର୍କ ସୂଚନା ଜାରି କରିଛି।

ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ମ୍ୟାଣ୍ଡ୍‌ସ୍‌। ଆଜି ସନ୍ଧ୍ୟା ସୁଦ୍ଧା ଏହା ଛୁଇଁପାରେ ସ୍ଥଳଭାଗ। ଏଥି ପାଇଁ ଉତ୍ତର-ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ସାଇକ୍ଲୋନ୍ ଆଲର୍ଟ ଜାରି କରଯାଇଛି। ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବା ବେଳେ ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ବେଗରେ ବହିବ ପବନ।

ବଙ୍ଗୋପସାଗରରେ ଥିବା ବାତ୍ୟାର ଆଂଶିକ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ବୁଧବାର ଦିନ ତମାମ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସୃଷ୍ଟି ହୋଇଛି।ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍ବଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ତେବେ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ କୋହଲା ପାଗ ରହିବ ବୋଲି ପାଣିପାଗ ବିଭାଗ କହିଛି।

ଦୁଇ ଦିନ ଏଭଳି ପାଗ ଲାଗି ରହିବା ସହିତ ଶନିବାର ମାଲାକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ୧୦ ଓ ୧୧ ତାରିଖ ଦୁଇ ଦିନ ଏହି ଜିଲ୍ଲାରେ ବର୍ଷା ଆଶଙ୍କା ଥିବା କେନ୍ଦ୍ର କହିଛି।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁୁପାଳକ କହିଛନ୍ତି ଯେ ଦକ୍ଷିଣ ଓଡ଼ିଶାରେ ୯ ଓ ୧୦ରେ ପାଗ ମେଘୁଆ ରହିବା ସହିତ ବାତ୍ୟା ଯୋଗୁଁ ରାଜ୍ୟରେ ପ୍ରାୟ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁହୁଡ଼ି ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।