Odia News Portal

ହଷ୍ଟେଲରେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସୁନସୁନିଆ ମହାମାୟା ଛାତ୍ରାବାସରେ ଅଘଟଣ ଘଟିଛି । ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଠାବ ହୋଇଛି । ମୃତକ ଜଣକ ହେଲେ ବରଗଡ ଜିଲ୍ଲା ବରିକେଲ ଗାଁର ଶ୍ରୀଧର ପଣ୍ଡା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସୁନସୁନିଆ ସ୍ଥିତ ବଟକୃଷ୍ଣ କଲେଜ ଅଫ ଫର୍ମାସୀରେ ଶ୍ରୀଧର ବି-ଫାର୍ମ ପ୍ରଥମ ବର୍ଷ ଛାତ୍ର ଥିଲେ । ସୋମବାର ଦିନ କଲେଜର ବାର୍ଷିକୋତ୍ସବ ରହିଥିବା ବେଳେ ରବିବାର ସମସ୍ତେ କାର୍ଯ୍ୟକ୍ରମକୁ ନେଇ ବ୍ୟସ୍ତ ରହିଥିଲେ । ଶ୍ରୀଧର ଗତକାଲି ପ୍ରସ୍ତୁତିରେ ସାମିଲ ନହୋଇ ହଷ୍ଟ୍ରେଲରେ ରହିଥିଲେ । ପରେ ରାତିରେ ଛାତ୍ରମାନେ ଆସି ଦେଖିବା ଭିତରେ କୋଠରି ଭିତରପଟୁ ଲକ୍ ହୋଇଥିଲା । ଫୋନ କଲେ ମଧ୍ୟ ରିସିଭ କରିନଥିଲେ । ଶେଷରେ ଜୋଙ୍କ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି । ଛାତ୍ରାବାସର କର୍ମଚାରୀ ଓ ସହପାଠୀଙ୍କୁ ଘଟଣା ସମ୍ପର୍କରେ ପୋଲିସ ପଚରାଉଚରା କରୁଛି।

ତେବେ ଛାତ୍ର ଜଣକ ଚଳିତ ବର୍ଷ ଜାନୁଆରି ମାସରେ ବି-ଫାର୍ମରେ ଆଡମିସନ ପରେ ହଷ୍ଟେଲରେ ରହୁଥିଲେ । ହେଲେ କୌଣସି ସାଙ୍ଗ ସହ ଭଲରେ ମିଶୁନଥିବା ବେଳେ ଅନେକ ସମୟରେ ଚୁପ ରହୁଥିବା ସୂଚନା ମିଳିଛି।