Odia News Portal

ଏନଏମଏକୁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟର ଚିଠି

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ବାଇ ଲ’ ପ୍ରତ୍ୟାହାର ଦାବି ଜୋରଧରିଛି |ମନ୍ଦିର ସମ୍ପର୍କିତ ଏନଏମଏ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଚେୟାର ମ୍ୟାନଙ୍କ ବିନା ପରାମର୍ଶରେ ଏଭଳି ନିଷ୍ପତ୍ତି ନ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖିଆ ଭାବେ ଚିଠି ଲେଖିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି ।ତେବେ ଏହି ଚିଠିରେ ଲିଙ୍ଗରାଜ ମନ୍ଦିରର ମହତ୍ତ୍ୱ ଗୁରୁତ୍ତ୍ୱ ଓ ବିଶେଷତ୍ତ୍ୱ ଆଦି ବିଷୟରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ | ଆଗକୁ ଏମିତି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ଏକାମ୍ରକ୍ଷେତ୍ରର ସମସ୍ତ ସମ୍ପତ୍ତି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ହୋଇଥିବାରୁ ପ୍ରାଧିକରଣର ବାଇ ଲ ଲିଙ୍ଗରାଜ ମନ୍ଦିର ଓ ଏହାର ସେବାୟତଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ । ଲିଙ୍ଗରାଜ ମନ୍ଦିର ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ | ଏହା କୋଟି କୋଟି ଭକ୍ତଙ୍କ ଭାବବେଗ ସହ ଜୋଡ଼ି ହୋଇ ରହିଛି । ସେହିପରି ରାଜ୍ୟ ସରାକାରଙ୍କ ଉଦ୍ୟମରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଛି ଏକାମ୍ର ବିକାଶ ପ୍ରକଳ୍ପ । ଯାହା ଏବେ ମନ୍ଦିର ମାଳିନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ ହୋଇଛି । ଆଉ ଏହି ସୌନ୍ଦର୍ଯ୍ୟକରଣରେ ସ୍ୱଇଚ୍ଛାରେ ଜମି ଯୋଗାଇ ଦେଇଛନ୍ତି ସେବାୟତ ପରିବାର ଓ ଅଞ୍ଚଳବାସୀ । ବାଇ ଲ’ ଲାଗୁହେଲେ ପ୍ରକଳ୍ପର ଉନ୍ନତି କରଣରେ ବାଧାପ୍ରାପ୍ତ ହେବ । ତେବେ ବାଇ ଲ’ ଲାଗୁ ପୂର୍ବରୁ ମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କ ସହ ଆଲୋଚନା କରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।