Odia News Portal

ଆଫଗାନିସ୍ତାନରେ ମୃତ୍ୟୁର ତାଣ୍ଡବ: ମାଟିତଳେ ଚାପି ରହିଛି ଅନେକ ଜୀବନ

ଭୂକମ୍ପ କେତେ ଭୟଙ୍କର ହୋଇପାରେ ତାର ଛାତିଥରା ଉଦାହରଣ ଆସିଛି ଆଫଗାନିସ୍ତାନରୁ । ଯେଉଁଠି ଭୟଙ୍କର ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ଚାଲିଗଲାଣି ୧୪୦୦ରୁ ଅଧିକ ଜୀବନ । ରବିବାର ମଧ୍ଯରାତିରେ ଭୂକମ୍ପର ମହାତାଣ୍ଡବ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବ ଏତେ ଅଧିକ ଯେ ଆଫଗାନିସ୍ତାନରେ ବଢି ଚାଲିଛି ମୃତ୍ୟୁ ସଂଖ୍ଯା । ମିଳିଥିବା ସୂଚନା ଅନୁସାରେ ଏଯାବତ ୧୪୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସେପ୍ଟେମ୍ବର ୧ ରାତିରେ ଆଫଗାନିସ୍ତାନକୁ ଲାଗିଥିବା ୬.୦ ତୀବ୍ରତାର ଭୂକମ୍ପ ଝଟକାରେ ଖାଲି ଜୀବନ ଯାଇନି ବରଂ ୫୪୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଅନେକ ଲୋକ ବେଘର ହୋଇଛନ୍ତି, ଅନେକ ପରିବାର ଛାରଖାର ହୋଇଛି । କିଏ ପରିବାର ହରେଇ ଦେଇଛି ତ ପୁଣି କିଏ ପ୍ରିୟଜନଙ୍କୁ । ଭୂକମ୍ପ ପରେ ଭଗ୍ନାବଶେଷ ତଳୁ କୁଢ କୁଢ ମୃତଦେହ ମିଳୁଥିବା ବେଳେ ଜୀବନ ଖୋଜା ଚାଲିଛି । କାହାର ମାଆ ମାଟି ତଳେ ଚାପି ହୋଇ ରହିଛି ତ ପୁଣି କାହାର ପୂରା ପରିବାର ଭୂକମ୍ପରେ ଘର ତଳେ ସମାଧି ନେଇଛନ୍ତି । ଗୋଟେ ଗୋଟେ ଗାଁରେ ଭୂକମ୍ପ ଭୟଙ୍କର ତାଣ୍ଡବ ରଚିଛି ।ଭୂକମ୍ପକୁ ଇତି ମଧ୍ଯରେ ୨ ଦିନ ବିତିଥିବା ବେଳେ ଏବେବି ମାଟି ତଳେ ଅନେକ  ଲୋକ ରହିଥିବା ସୂଚନା ମଳିଛି । ଜଲାଲବାଦରୁ ୨୭ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେଏହାର ଭୂକମ୍ପର କେନ୍ଦ୍ର ସ୍ଥଳ ରହିଥିଲା । ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ପାକିସ୍ତାନ ସହ ଦିଲ୍ଲୀ ଏନସିଆର ଓ ନୋଏଡାରେ ବି ଝଟକା ଅନୁଭୂତ ହୋଇଥିଲା । ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଥିବା ବେଳେ ଥରିଥିଲା ଉତ୍ତର ଭାରତ ଓ ପାକିସ୍ତାନ । ଆପଗାନିସ୍ତାର ଏପରି ସଙ୍କଟ ସମୟରେ ଭାରତ ପକ୍ଷରୁ ଆଫଗାନିସ୍ତାନକୁ ରିଲିଫ ସାମଗ୍ରୀ ପ୍ରେରଣ କରାଯାଇଛି। ଏଥିସହିତ ଆଗାମୀ ଦିନରେ ଅଧିକ ରିଲିଫ୍‌ ପଠାଯିବାର ପ୍ରତିଶ୍ରୁତି ଦିଆଯାଇଛି। ତେବେ ନଜର ପକାନ୍ତୁ କାହିଁକି ଆଫଗାନିସ୍ତାନକୁ ଲାଗେ ଭୂକମ୍ପର ଝଟକା ।